ଓଡ଼ିଶା365(ବ୍ୟୁରୋ): ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପାଇବାର ୨ ବର୍ଷ ପରେ ନୀରଜ ଚୋପ୍ରା ବିଶ୍ବ ଦୌଡ଼କୁଦ ଚାମ୍ପିଅନ୍ସିପ୍ରେ ମଧ୍ୟ ସ୍ବର୍ଣ୍ଣିମ ଅଧ୍ୟାୟ ଯୋଡ଼ିଥିଲେ। ରବିବାର ସ୍ବର୍ଣ୍ଣ ଜିତିବା ପରେ ଅଲିମ୍ପିକ୍ସ ଅପେକ୍ଷା ବିଶ୍ବ ଚାମ୍ପିଅନ୍ସିପ୍ରେ ପଦକ ଜିତିବା ଅଧିକ କଷ୍ଟକର ଥିଲା ବୋଲି ସାକ୍ଷାତକାରରେ କହିଛନ୍ତି। ତାଙ୍କ ମତରେ ଅଲିମ୍ପିକ୍ ଏକ ସ୍ବତନ୍ତ୍ର କ୍ରୀଡ଼ା ମହୋତ୍ସବ, କିନ୍ତୁ ବିଶ୍ବ ଚାମ୍ପିଅନ୍ସିପ୍ ତାହାଠୁ ବଡ଼ ମଞ୍ଚ। ପ୍ରତିଯୋଗିତା ଆଧାରରେ ଦେଖିଲେ ଅଲିମ୍ପିକ ତୁଳନାରେ ଏହା କଷ୍ଟକର। ବୁଦାପେଷ୍ଟରେ ଖେଳୁଥିବା ବେଳେ ଅନେକ ଭାରତୀୟ ଆମକୁ ଉତ୍ସାହିତ କରିବାକୁ ଆସିଥିଲେ। ଏଥିସହିତ ସ୍ଥାନୀୟ ଦର୍ଶକଙ୍କ ସମର୍ଥନ ରହୁଥିବାରୁ ଏହି ବିଜୟ ସ୍ବତନ୍ତ୍ର ଥିଲା ବୋଲି ନୀରଜ କହିଛନ୍ତି। ଫାଇନାଲ୍ରେ ନୀରଜ ୮୮.୧୭ ମିଟର ଜାଭଲିନ୍ ଫିଙ୍ଗି ସ୍ବର୍ଣ୍ଣ ପଦକ ଜିତିଥିଲେ। ଶୀର୍ଷ ୬ ଜଣଙ୍କ ମଧ୍ୟରେ ଅନ୍ୟ ଦୁଇ ଭାରତୀୟ କିଶୋର କୁମାର ଜେନା ଓ ଡିପି ମନୁ ସ୍ଥାନ ପାଇଥିବାରୁ ସେମାନଙ୍କ ପ୍ରଦର୍ଶନକୁ ମଧ୍ୟ ନୀରଜ ପ୍ରଶଂସା କରିଛନ୍ତି। ଆମର କ୍ରୀଡ଼ାବିତ୍ମାନେ ଦିନକୁ ଦିନ ଉନ୍ନତି କରୁଛନ୍ତି। ଆଗକୁ କିନ୍ତୁ ଆହୁରି ଅଧିକ କାମ କରିବାକୁ ହେବ। ଏଠାକାର ଟ୍ରାକ୍ ବିଷୟରେ ଏଏଫ୍ଆଇ ସଭାପତିଙ୍କ ସହିତ ଆଲୋଚନା କରିଛନ୍ତି। ଭାରତରେ ସେଭଳି ଟ୍ରାକ୍ ଉପଲବ୍ଧ ହୋଇପାରିଲେ ଭାରତୀୟମାନେ ଆଗକୁ ଆହୁରି ଭଲ ପ୍ରଦର୍ଶନ ଦେଇପାରିବେ। ତେବେ ବିଶ୍ବ ଚାମ୍ପିଅନ୍ସିପ୍ରେ ସ୍ବର୍ଣ୍ଣ ଜିତିବା ପରେ ସେ ଅଟକି ଯିବାକୁ ଚାହୁଁନାହାନ୍ତି। ସମସ୍ତ ପ୍ରମୁଖ କ୍ରୀଡ଼ା ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତିସାରିଥିଲେ ସୁଦ୍ଧା ଆଗକୁ ଆହୁରି ଭଲ ପ୍ରଦର୍ଶନ କରିବାକୁ ପଡ଼ିବ। ତେଣୁ ସେ ଦିଗରେ ନୀରଜ ଧ୍ୟାନ କେନ୍ଦ୍ରୀତ କରିବେ ବୋଲି ପ୍ରତିକ୍ରିୟା ଦେଇଛନ୍ତି।
ବୁଦାପେଷ୍ଟରେ ସ୍ବର୍ଣ୍ଣ ଜିତିବା ପରେ ଭାରତୀୟ ଜାଭଲିନ୍ ଫିଙ୍ଗାଳି ନୀରଜ ଚୋପ୍ରାଙ୍କ ନିକଟକୁ ଅଭିନନ୍ଦନର ସୁଅ ଛୁଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଭାରତୀୟ ସେନା, କ୍ରିକେଟର ସଚିନ୍ ତେନ୍ଦୁଲକର, ଗୌତମ ଗମ୍ଭୀର, ବୀରେନ୍ଦ୍ର ସେହବାଗ୍, ଭିଭିଏସ୍ ଲକ୍ଷ୍ମଣ, ଅଭିନବ ବିନ୍ଦ୍ରା, ଅନୁରାଗ ଠାକୁର, ବଲିଉଡ୍ ତାରକା ଅଜୟ ଦେବଗନ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମୁଖ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ରବିବାର ସ୍ବର୍ଣ୍ଣ ଜିତିବା ପରଠୁ ସାମାଜିକ ଗଣମାଧ୍ୟମ ଚଳଚଞ୍ଚଳ ହୋଇଯିବା ସହ ନୀରଜଙ୍କୁ ଟ୍ୟାଗ୍ କରି ଅନେକ ୟୁଜର ଅଭିନନ୍ଦନ ବାର୍ତ୍ତା ପଠାଇଛନ୍ତି। ନୀରଜଙ୍କ ମା’ ମଧ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ ଖୁସି ବ୍ୟକ୍ତ କରିବା ସହିତ କ୍ରୀଡ଼ାରେ ଯିଏ ଜିତନ୍ତୁ କି ହାରନ୍ତୁ ସମସ୍ତଙ୍କୁ ପ୍ରଶଂସା କରାଯିବା ଉପରେ ଗୁରୁତ୍ବ ଦେଇଥିଲେ। ଯଦି ପାକିସ୍ତାନର ଅର୍ଶଦ ନୀଦମ ସ୍ବର୍ଣ୍ଣ ପାଇଥାନ୍ତେ, ତାହେଲେ ମଧ୍ୟ ସେ ମନଦୁଃଖ କରିନଥାନ୍ତେ ବୋଲି ପ୍ରତିକ୍ରିୟା ରଖିଥିଲେ।