ଓଡ଼ିଶା 365 (ବ୍ୟୁରୋ): ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ଦୀର୍ଘଦିନ ଧରି ରାଇ ପାହାଡ଼ ସୀମାକୁ ନେଇ ଲାଗିରହିଥିବା ବିବାଦର ଅନ୍ତ ଘଟିଛି। ରାଇପାହାଡ଼କୁ ନେଇ ଓଡ଼ିଶା ଏବଂ ଆନ୍ଧ୍ର ପ୍ରଦେଶ ମଧ୍ୟରେ ଚାଲିଥିବା ବିବାଦର ସମାଧାନ ବେଳେ ନିଜ ଭୁଲ ସ୍ୱୀକାର କରିଛି ଆନ୍ଧ୍ର। ଆଗକୁ ଓଡ଼ିଶା ସୀମାରେ ଅନୁପ୍ରବେଶ କରିବ ନାହିଁ ଅବା ତାଙ୍କ ରାଜ୍ୟର କୌଣସି ଯୋଜନା ଏଠାରେ କାର୍ଯ୍ୟକାରୀ କରିବ ନାହିଁ ବୋଲି କହିଛି ଆନ୍ଧ୍ର ପ୍ରଶାସନ । ଯୋଜନାର ପ୍ରଲୋଭନ ଦେଖାଇ ଓଡ଼ିଶାରେ ଅନୁପ୍ରବେଶ କରିବାକୁ ଚେଷ୍ଟା ଚଳାଇଥିବା ଆନ୍ଧ୍ର ସରକାରକୁ ଶକ୍ତ ଝଟକା ଲାଗିଛି ।
କହିରଖୁ କି, ଦୀର୍ଘଦିନ ଧରି ରାଇ ପାହାଡ଼ ସୀମାକୁ ନେଇ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ଲାଗିରହିଥିବା ବିବାଦର ଆଜି ଅନ୍ତ ଘଟିଛି। ଦୁଇ ରାଜ୍ୟର ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଆଲୋଚନାରେ ଓଡ଼ିଶା ଦେଖାଇଥିବା ପ୍ରମାଣ ପତ୍ର ଦେଖି ଆନ୍ଧ୍ର ଅଧିକାରୀଙ୍କ ପାଟି ବନ୍ଦ ହୋଇଯାଇଥିଲା । ପୁଣି ଥରେ ବୈଠକ କରିବାକୁ କହି ଆସୁଥିଲେ ଆନ୍ଧ୍ର ଅଧିକାରୀ । ଶେଷରେ କୋରାପୁଟ ଜିଲ୍ଲାପାଳ ଏମ. ଅଖତର ଆନ୍ଧ୍ରର ଏଏସଆର ଜିଲ୍ଲାପାଳ ସୁମିତ କୁମାରଙ୍କ ସହ ଫୋନଯୋଗେ କଥା ହୋଇ ବନ ବିଭାଗର ବିଭିନ୍ନ ମ୍ୟାପ ସହ ମାଡ୍ରାସ୍ ପ୍ରେସିଡେନ୍ସି ସମୟର ମ୍ୟାପକୁ ପ୍ରମାଣ ସ୍ୱରୂପ ଦେଖାଇଥିଲେ । ଏବଂ ବିବାଦକୁ ଆଗକୁ ନ ବଢାଇବାକୁ ପ୍ରସ୍ତାବ ଦେଇଥିଲେ । ଏଏସଆର ଜିଲ୍ଲାପାଳ ମଧ୍ୟ ଏଥିରେ ସହମତି ପ୍ରକାଶ କରିଥିଲ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କୌଣସି ଘର ରାଇପାହାଡରେ ନିର୍ମାଣ କରାଯିବନାହିଁ । ରାଇପାହାଡର ନିୟୋଜିତ ଆଶାକର୍ମୀ ଆନ୍ଧ୍ରକୁ ଚାଲିଯିବେ ବୋଲି ଦୁଇ ଜିଲ୍ଲାପାଳଙ୍କ ମଧ୍ୟରେ ବୁଝାବଣା ହୋଇଛି ।