ଓଡ଼ିଶା 365 (ବ୍ୟୁରୋ): ଚିନ୍ତାରେ ଚାଷୀ, ନିଅଣ୍ଟିଆ ବର୍ଷା ଚାଷୀ କୂଳକୁ ଦେଉଛି ବଡ କ୍ଷତି । ରେକର୍ଡ ହେଲା ୧୨୩ ବର୍ଷର ସବୁଠାରୁ କମ୍ ବର୍ଷା । ଚାଷ ପାଇଁ ଗୁରୁତ୍ୱପୂର୍ଣ୍ଣ ମାସ ହେଉଛି ଅଗଷ୍ଟ। ହେଲେ ଏହି ମାସରେ ବି ବର୍ଷା ଉଭାନ। ବର୍ତ୍ତମାନ ସୁଦ୍ଧା କିଛି ଅଞ୍ଚଳରେ ନିଅଣ୍ଟିଆ ବର୍ଷା ଓ ଆଉ କିଛି ଅଞ୍ଚଳରେ ବର୍ଷାର ଅସମାନତା ଚାଷ ପାଇଁ ବିପଦ ସୃଷ୍ଟି କରିଛି । ତେବେ ଚାଷୀଙ୍କୁ ଘାରିଛି ଧାନ ଅମଳ କମିଯିବା ନେଇ ଆଶଙ୍କା । ବର୍ଷା ନାହିଁ । ଯାହା ଟିକେ ହୋଇଥିଲା ସେତକ ଶୁଖିଗଲାଣି । ଦୁଶ୍ଚିନ୍ତା ମାଡ଼ି ଆସିଲାଣି ଚାଷୀକୁ । ଆଗକୁ କେଇ ଅସରା ଭଲ ବର୍ଷା ନହେଲେ ଏଥର ଅମଳ କମିଯାଇପାରେ । ଏନେଇ ଚାଷୀ ଚିନ୍ତାରେ ପଡିଛି ।
ତେବେ ଚଳିତ ଅଗଷ୍ଟ ମାସରେ ୧ରୁ ୨୮ ତାରିଖ ମଧ୍ୟରେ ରାଜ୍ୟର କେତେକ ଜିଲ୍ଲାରେ ବର୍ଷା ରେକର୍ଡ କରାଯାଇଥିଲା । ତେବେ ରାଜ୍ୟରେ ମୋଟ ୨୯୮.୬ ମିମି ବର୍ଷା ରେକର୍ଡ ହୋଇଛି, ଯାହା ସ୍ୱାଭାବିକ ବର୍ଷା ୩୩୩.୫ ମିମି ତୁଳନାରେ ପାଖାପାଖି ୧୦% କମ୍ ରହିଛି । ଗତ ୫ ବର୍ଷର ଅଗଷ୍ଟମାସର ବର୍ଷାକୁ ଦୃଷ୍ଟିରେ ରଖିଲେ ଯେଉଁ ଚିତ୍ର ସାମ୍ନାକୁ ଆସୁଛି, ତାହା ସଙ୍କେତ ଦେଉଛି ଯେ ପାଗରେ ବଡ଼ ପରିବର୍ତ୍ତନ ହେଲାଣି । ଯାହା ବାସ୍ତବରେ ବିପଦ ଜନକ ସଂଙ୍କେତ ଅଟେ ।
୨୦୧୭ ପରଠାରୁ ମୌସୁମୀ ବର୍ଷାର ଚିତ୍ରକୁ ଦେଖିଲେ, ଅଗଷ୍ଟ ଶେଷ ସୁଦ୍ଧା ଅନୁଭୂତ ହେଉଥିବା ବର୍ଷାକୁ ଦ୍ୱିତୀୟ ନିଅଣ୍ଟିଆ ବର୍ଷ ବୋଲି ଗଣନା କରାଯାଇପାରିବ।
ରାଜ୍ୟରେ ମୌସୁମୀ ପ୍ରବାହ ପାଖାପାଖି ୧୧ ଦିନ ଦୁର୍ବଳ ରହିଛି। ଏଣେ ଏଭିତରେ ଆଉ ଏକ ସାଂଘାତିକ ଖବର ସାମ୍ନାକୁ ଆସିଛି। ପାଣିପାଗ ବିଶେଷଜ୍ଞଙ୍କ କହିବା ଅନୁସାରେ, ରାଜ୍ୟରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଶୀଘ୍ର ଆରମ୍ଭ ହୋଇଯାଇପାରେ। କାରଣ ମୌସୁମୀ ପ୍ରତ୍ୟାବର୍ତ୍ତନ ପାଇଁ ପରିବେଶ ଏବେଠାରୁ ଧୀରେ ଧୀରେ ଅନୁକୂଳ ହେଉଛି। ଏମିତି ଘଟିଲେ ରାଜ୍ୟରେ ଧାନ ଅମଳ କମିବା ସହ ଖରିଫ ଫସଲ କ୍ଷତିଗ୍ରସ୍ତ ହେବା ଆଶଙ୍କାକୁ ଏଡ଼ାଇ ହେବନାହିଁ।