ଓଡ଼ିଶା365(ବ୍ୟୁରୋ): ସ୍କୁଲକୁ ଅବୟା ଅର୍ଥାତ ମୁସଲିମ୍ ମହିଳା ପିନ୍ଧୁଥିବା ସ୍ୱତନ୍ତ୍ର ପୋଷାକକୁ ନେଇ ଏବେ ବିବାଦ ଦେଖାଦେଇଛି । ଏହାକୁ ସ୍କୁଲକୁ ପିନ୍ଧି ଆସିବା ନିୟମକୁ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ଫ୍ରାନ୍ସ ସରକାର। ଫଳରେ ମୁସଲିମ୍ ଛାତ୍ରୀ ଏଣିକି ଆଉ ପାରମ୍ପାରିକ ପୋଷାକ ପିନ୍ଧି ବିଦ୍ୟାଳୟକୁ ଆସିପାରିବେ ନାହିଁ। ସମସ୍ତ ସରକାରୀ ବିଦ୍ୟାଳୟରେ ଏହି ନିୟମ ଲାଗୁ କରାଯିବ। ସେପ୍ଟେମ୍ବର ୪ରେ ଖରା ଛୁଟି ପରେ ଏହି ନିୟମ ଲାଗୁ ହେବ ବୋଲି କହିଛନ୍ତି ଫ୍ରାନ୍ସ ଶିକ୍ଷା ମନ୍ତ୍ରୀ। ବିଦ୍ୟାଳୟ ତଥା ସରକାରୀ ଅଟ୍ଟାଳିକାରେ ଧାର୍ମିକ ପ୍ରତୀକ ଉପରେ ଫ୍ରାନ୍ସର କଡ଼ା ପ୍ରତିବନ୍ଧକ ରହିଛି। ଏହି ଚିହ୍ନଗୁଡିକ ଧର୍ମନିରପେକ୍ଷ ନିୟମକୁ ଉଲ୍ଲଂଘନ କରୁଥିବା ଦର୍ଶାଇ ଏହି ନିୟମ ଲାଗୁ କରାଯାଇଛି। ୨୦୦୪ ମସିହାରେ ରାଷ୍ଟ୍ରାୟତ୍ତ ବିଦ୍ୟାଳୟରେ ମୁସଲିମ ମହିଳାମାନେ ମୁଣ୍ଡରେ ପିନ୍ଧୁଥିବା କଳା ରଙ୍ଗର ସ୍କାର୍ଫକୁ ନିଷିଦ୍ଧ କରାଯାଇଥିଲା ।
ଶିକ୍ଷା ମନ୍ତ୍ରୀ ଗାବ୍ରିଏଲ୍ ଅତ୍ତଲ ଫ୍ରାନ୍ସର ଏକ ଗଣମାଧ୍ୟମକୁ କହିଛନ୍ତି, ପୋଷାକ ପରିଧାନକୁ ଦେଖି ଧର୍ମ ଚିହ୍ନଟ କରିବା ଉଚିତ୍ ନୁହେଁ। ଏହି ନିୟମ ଆସିବା ଫଳରେ ଶ୍ରେଣୀ ଗୃହକୁ ପ୍ରବେଶ କରିବା ମାତ୍ରେ କାହାର ପୋଷାକ ଦେଖି ଧର୍ମ ବାରିବା ସମ୍ଭବ ହେବନାହିଁ। ଏଥିପାଇଁ ଶ୍ରେଣୀ ଗୃହରେ ସ୍ୱତନ୍ତ୍ର ପୋଷାକ ପରିଧାନକୁ ନିଷିଦ୍ଧ କରିବାକୁ ନିଷ୍ପତ୍ତି ନିଆଯାଇଛି। ରିପୋର୍ଟ ଅନୁସାରେ, ଫ୍ରାନ୍ସରେ ବିଦ୍ୟାଳୟଗୁଡ଼ିକରେ ଏବୟ ଅଧିକ ପରିଧାନ କରାଯାଏ। ଏହାକୁ ନେଇ ସେଠାରେ ରାଜନୈତିକ ବିବାଦ ମଧ୍ୟ ହୋଇଥାଏ। ଦକ୍ଷିଣପନ୍ଥୀ ଦଳ ଏହି ନିଷେଧାଦେଶକୁ ସମର୍ଥନ କରୁଥିବା ବେଳେ ବାମପନ୍ଥୀ ମୁସଲମାନ ମହିଳା ଓ ବାଳିକାଙ୍କ ଅଧିକାରକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ତେବେ ଏହି ନିୟମ କେତେ କାର୍ଯ୍ୟକାରୀ ହେଉଛି ତା’ ଉପରେ ସମସ୍ତଙ୍କ ନଜର ରହିଛି। ଦୀର୍ଘଦିନ ଧରି ଆମ ଦେଶରେ ମଧ୍ୟ ବିଦ୍ୟାଳୟକୁ ହିଜାବ ବାରଣ ପାଇଁ ଦାବି ହୋଇ ଆସୁଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ତାହା ଲାଗୁ କରାଯାଇ ନାହିଁ। ଫ୍ରାନ୍ସରେ ଏହି ନିୟମ ସାଗୁ ହେବା ପରେ ଅନ୍ୟ ଦେଶ ମଧ୍ୟ ଆପଣାଇବେ ବୋଲି ବିଭିନ୍ନ ଲୋକ କହୁଛନ୍ତି ।