ଓଡ଼ିଶା 365 (ବ୍ୟୁରୋ): ଯୌତୁକ ଦେଇନପାରିବାରୁ ନବବଧୂକୁ ହତ୍ୟା କରିଛି ସ୍ୱାମୀ । ନୃତ୍ୟଶିଳ୍ପୀ ରଶ୍ମିତା ଲାକ୍ରାଙ୍କୁ ବେଙ୍ଗାଲୁରୁରେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ମାଈ । ଯୌତୁକ ନେବା ଆଉ ଦେବା ଏହା ଦଣ୍ଡନୀୟ ଅପରାଧ । ତାପରେବି ଘଟୁଛି ଏଭଳି ଅଭାବନୀୟ ଘଟଣା । ହଁ ଆଜ୍ଞା ମାଟ୍ରିମୋନି ସାଇଟ୍ରୁ ବର ଖୋଜି ଝିଅକୁ ବିବାହ କରାଇଥିଲେ । ଝିଅ ଏବଂ ଜ୍ୱାଇଁ ଉଭୟ ରହୁଥିଲା ବେଙ୍ଗାଲୁରୁରେ । ବାପା ମାଆ ଭାବିଥିଲେ ଝିଅ ଖୁସିରେ ରହିବ। କିନ୍ତୁ ଏହି ଖୁସି ବେଶି ଦିନ ନଥିଲା। ବିବାହ ପରେ ପରେ ଝିଅ ଉପରେ ଆରମ୍ଭ ହୋଇଯାଇଥିଲା ଯୌତୁକ ନିର୍ଯାତନା । ଶେଷରେ ଯୌତୁକ ଯୋଗୁଁ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ । ଏଭଳି ଅଭିଯୋଗ ଆସିଛି ରାଉରକେଲା ସହରରୁ । ମୃତ ମହିଳା ହେଉଛନ୍ତି ଜନଶୁଣା ଭାରତ ନାଟ୍ୟମ ନୃତ୍ୟଶିଳ୍ପୀ ରଶ୍ମିତା ଲାକ୍ରା । ଏହି ଘଟଣାରେ ପୋଲିସ ମୃତ ମହିଳାଙ୍କ ସ୍ୱାମୀକୁ ଗିରଫ କରିଛି ।ଏକ ସାମ୍ବାଦିକ ସମ୍ମିଳନୀରେ ମୃତ ରଶ୍ମିତାଙ୍କ ମାଆ ଶାନ୍ତି ଲାକ୍ରା ଅଭିଯୋଗ କରିଛନ୍ତି ଯେ, ମାଟ୍ରିମୋନିରେ ଯୋଗାଯୋଗ କରି ଝିଅ ରଶ୍ମିତାକୁ ବେଙ୍ଗାଲୁରୁରେ ଇନ୍ଫୋସିସ୍ରେ କାର୍ଯ୍ୟରତ ଗୌରୀ ଶଙ୍କର ଦଲେଇଙ୍କ ସହ ଜୁନ୍ ୨୩ ତାରିଖରେ ବିବାହ କରାଇଥିଲେ । ସ୍ଥାନୀୟ ରିଜର୍ଭ ପୋଲିସ ଲାଇନରେ ଥିବା ତ୍ରିନାଥ ମନ୍ଦିରରେ ବିବାହ ଅନୁଷ୍ଠିତ ହୋଇଥିଲା ।
ଗୌରୀ ଶଙ୍କରଙ୍କ ବାପା ପ୍ରଦୀପ ଦଳେଇ ସେକ୍ରେଟାରିଏଟ୍ରେ ଫାଇନାନ୍ସ ବିଭାଗରେ କାର୍ଯ୍ୟରତ ଥିବା ବେଳେ ତାଙ୍କ ମାଆ ସୀତାମଣୀ ଦଳେଇ ସହ ଭୁବନେଶ୍ବରରେ ରୁହନ୍ତି । ଝିଅକୁ ବିବାହ ଦେବା ପରେ ଦାବି ମୁତାବକ ପାଖାପାଖି 15 ଭରି ସୁନା ଅଳଙ୍କାର ସମେତ ନଗଦ ଟଙ୍କା, ଦାମୀ ହାତଘଣ୍ଟା ଆଦି ଦିଆଯାଇଥିଲା । ବିବାହ ପରେ ରଶ୍ମିତା ସ୍ୱାମୀଙ୍କ ସହ ବେଙ୍ଗାଲୁରୁ ଚାଲିଯାଇଥିଲେ ।
ମୃତକର ମାଆ କହିଛନ୍ତି, “ବିବାହର କିଛି ଦିନ ପରେ ଝିଅକୁ ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଇଥିଲା । ପୂର୍ବରୁ ଜ୍ୱାଇଁ ଗୌରୀ ଶଙ୍କର ବେଙ୍ଗାଲୁରୁର ଆଇଟି କମ୍ପାନୀରେ କାର୍ଯ୍ୟରତ ଥିବା ବେଳେ ଭୁବନେଶ୍ଵରର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ । ବିବାହ ପରେ ମଧ୍ୟ ଅନୈତିକ ସମ୍ପର୍କ ରଖିଥିଲେ ।
ଝିଅ କୌଣସି ଉପାୟରେ ଜାଣିବାକୁ ପାଇବାରୁ ନିର୍ଯାତନା ଦ୍ଵିଗୁଣିତ ହୋଇଯାଇଥିଲା । ପରବର୍ତ୍ତୀ ସମୟରେ ଜ୍ୱାଇଁର ଦାବି ମୁତାବକ ନଗଦ ଦେଢ଼ ଲକ୍ଷ ଟଙ୍କା ତାଙ୍କ ବାପା-ମାଆଙ୍କୁ ଦିଆଯାଇଥିଲା ତଥାପି ନିର୍ଯାତନା କମିନଥିଲା । ସେ ଆହୁରି କହିଛନ୍ତି, ଅଗଷ୍ଟ ୧୬ ତାରିଖ ସନ୍ଧ୍ୟାରେ ରଶ୍ମିତା ଦୁଇ ଭଉଣୀଙ୍କ ସହ ଫୋନ୍ରେ ଶେଷଥର ପାଇଁ କଥା ହୋଇ ଦୁଃଖ କଥା କହିଥିଲା । ସେହିଦିନ ରାତି ପ୍ରାୟ ସାଢ଼େ ୧୨ଟାରେ ଅଭିଯୁକ୍ତର ମାଆ ଫୋନ୍ କରି ମୋ ଝିଅ ଅଚେତ ହୋଇପଡ଼ିଛି ତୁରନ୍ତ ବେଙ୍ଗାଲୁରୁ ଯିବାକୁ ସୂଚନା ଦେଇଥିଲେ । କିନ୍ତୁ ସେତେବେଳକୁ ରଶ୍ମିତାକୁ ହତ୍ୟା କରାଯାଇସାରିଥିଲା । ତା ପରଦିନ ପରିବାରର ସଦସ୍ୟ ବେଙ୍ଗାଲୁରୁକୁ ଯିବାବେଳେ ଝିଅର ମୃତଦେହକୁ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ନିଆ ସରିଥିଲା । ସେତେବେଳେ ରଶ୍ମିତା ବେକରେ ଫାଶୀ ଦେଇ ଆତ୍ମହତ୍ୟା କରିଥିବା କୁହାଯାଇଥିଲା । କିନ୍ତୁ ପରିବାର ସଦସ୍ୟ ଯୌତୁକ ଦାବିରେ ହତ୍ୟା କରିଥିବା ବେଙ୍ଗାଲୁରୁର ଏକ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲୁ । ପ୍ରଥମେ ପୋଲିସ ସହଯୋଗ କରୁନଥିବା ବେଳେ ବହୁ କାକୁତିମିନତି ପରେ ମାମଲା ରୁଜୁ କରିଥିଲା ।
କେବଳ ଜ୍ୱାଇଁ ଗୌରୀ ଶଙ୍କରକୁ ପୋଲିସ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ବେଳେ ଅନ୍ୟ ତିନି ଅଭିଯୁକ୍ତ, ଜ୍ୱାଇଁ ର ବାପା- ମାଆଓ ପ୍ରେମିକାଙ୍କୁ ଛାଡ଼ି ଦିଆଯାଇଥିଲା ।
ବାସ୍ତବରେ ରଶ୍ମିତା ଆତ୍ମହତ୍ୟା କରିନଥିଲା ବରଂ ଯୋଜନା ବଦ୍ଧ ଭାବେ ତାକୁ ଜ୍ୱାଇଁ ଜୀବନରୁ ମାରିଦେଇଛନ୍ତି । ରଶ୍ମିତାଙ୍କ ବେକରେ ରଶିର ଚିହ୍ନ ବି ନଥିବାରୁ ଏହା ସୁପରିକଳ୍ପତି ହତ୍ୟାକାଣ୍ଡ ବୋଲି କହିଛନ୍ତି ରଶ୍ମିତାଙ୍କ ମାଆ । ତେବେ ବେଙ୍ଗାଲୁରୁରେ ଘଟିଥିବା ଏହି ହତ୍ୟାକାଣ୍ଡରେ ଜଡ଼ିତ ଅନ୍ୟ ତିନି ଜଣଙ୍କୁ ଗିରଫ କରି ପୋଲିସ ରଶ୍ମିତାକୁ ନ୍ୟାୟ ଦେଉ ବୋଲି ଗୁହାରି କରିଛନ୍ତି ରଶ୍ମିତାଙ୍କ ପରିବାର ।