ଓଡ଼ିଶା 365 (ବ୍ୟୁରୋ): ପୁଣି ବିବାଦରେ କିଙ୍ଗ ଖାନ୍ । ଏକ ଅନଲାଇନ୍ ଗେମିଙ୍ଗ ସମ୍ବନ୍ଧୀୟ ବିଜ୍ଞାପନକୁ ନେଇ ବିବାଦ ପରିସରକୁ ଆସିଥିବା ଚର୍ଚ୍ଚା ହେଉଛି । ଗତ ଶନିବାର ଅଗଷ୍ଟ ୨୬ ତାରିଖରେ ଶାହାରୁଖ୍ ଏକ ଅନଲାଇନ୍ ଗେମିଂ ଆପକୁ ସମର୍ଥନ କରିବାରୁ ତାଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି କହିଥିଲେ ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀ ।
‘A23’ ଏକ ଅନଲାଇନ୍ ରମି ପୋର୍ଟାଲ୍, ଶାହାରୁଖ ଖାନଙ୍କୁ ‘A23’ ଗେମ୍ସ ପ୍ଲାଟଫର୍ମରେ ବ୍ରାଣ୍ଡ ଆମ୍ବାସାଡର ଭାବରେ ସ୍ୱାଗତ କରିଛି । ସେ ଏହି ଆପ୍ ପାଇଁ ଏକ ପ୍ରୋମୋ ସୁଟ୍ ମଧ୍ୟ କରିଥିଲେ । ଯେଉଁଥିରେ ସେ କହିଛନ୍ତି ଯେ ‘ଚାଲୋ ସାଥ ଖେଲେ’। ଏହାକୁ ବିରୋଧ କରି ଅନଟଚ୍ ୟୁଥ୍ ଫାଉଣ୍ଡେସନ୍ ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି କହିଥିଲା । ଏହି ସଙ୍ଗଠନ କହିଛି ଯେ, ସେମାନେ ଅନଲାଇନ୍ ଗେମିଂ ଆପ୍ ଏବଂ ଜଙ୍ଗଲି ରୁମ୍ମି, ଜୁପି ଏବଂ ଅନ୍ୟ ଗେମିଂ ପୋର୍ଟାଲ୍ ବିରୋଧରେ ପ୍ରତିବାଦ କରିବେ।
ସେପଟେ ବିକ୍ଷୋଭକାରୀମାନେ କହିଛନ୍ତି ଯେ, ‘ଏହି ପ୍ଲାଟଫର୍ମଗୁଡିକ ଯୁବପୀଢ଼ିଙ୍କୁ ଅବାଟକୁ ଟାଣିନେଉଛି। ତେଣୁ ଏହି ବିଜ୍ଞାପନରେ ପ୍ରସିଦ୍ଧ ଅଭିନେତା ଏବଂ ଅଭିନେତ୍ରୀମାନେ ପ୍ରମୋଟ କରି ସମାଜକୁ ବିଭ୍ରାନ୍ତ କରିବା ଦିଗରେ କାର୍ୟ୍ୟ କରୁଛନ୍ତି’।
ଅନ୍ୟପଟେ ବାନ୍ଦ୍ରାସ୍ଥିତ ଶାହରୁଖ ଖାନଙ୍କ ଘର ମନ୍ନତ ବାହାରେ ମୁମ୍ବାଇ ପୋଲିସ୍ ମୁତୟନ ହୋଇଥିବାବେଳେ ପ୍ରାୟ ୪ ରୁ ୫ ଜଣଙ୍କୁ ମଧ୍ୟ ପୋଲିସ୍ ଗିରଫ କରିଥିବା ସୂଚନା ମିଳିଛି ।