ଓଡ଼ିଶା 365 (ବ୍ୟୁରୋ): ରାତି ପାହିଲେ ସ୍ନେହ ଓ ବନ୍ଧନର ପର୍ବ ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ସବୁ ଭାଇଙ୍କ ହାତରେ ଭଉଣୀମାନେ ବାନ୍ଧିବ ସେହ୍ନ ଓ ସୁରକ୍ଷାର ଡୋରି । ସେପଟେ ରାକ୍ଷୀ ବାନ୍ଧି ଜୀବନସାରା ଭଉଣୀକୁ ସୁରକ୍ଷାର ପ୍ରତିଶ୍ରୃତି ଦିଏ ଭାଇ । ଏଇ କ୍ରମରେ ମାନବୀୟ ଲୀଳାଖେଳା କରୁଥିବା ଆମ ଠାକୁର ଜଗା- ବଳିଆ ବି ଗହ୍ମା ପୂର୍ଣ୍ଣିମା ଦିନ ପିନ୍ଧିବେ ରାକ୍ଷୀ । ବଡ଼ଭାଇ ବଳଭଦ୍ର ଓ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ହାତରେ ରାକ୍ଷୀ ବାନ୍ଧିବେ ଉଉଣୀ ଦେବୀ ସୁଭଦ୍ରା । ଏନେଇ ଶ୍ରୀମନ୍ଦିରରେ ଚାଲିଛି ଜୋରଦାର ପ୍ରସ୍ତୁତି । ରାକ୍ଷୀ ତିଆରିରେ ବ୍ୟସ୍ତ ଅଛନ୍ତି ପାଟରା ବିଷୋୟୀ ସେବାୟତ । ତିଆରି ଚାଲିଛି ଚାରୋଟି ବଡ଼ ରାକ୍ଷୀ ସହ ଗୁଆମାଳ । ରଙ୍ଗବେରଙ୍ଗର ବାସୁଙ୍ଗା ପାଟରେ ପ୍ରସ୍ତୁତ ହେଉଛି ରାକ୍ଷୀ ।
ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଥିବା ବାସୁଙ୍ଗା ପାଟରେ ପ୍ରଭୁଙ୍କ ପାଇଁ ୪ଟି ରଙ୍ଗର ରାକ୍ଷୀ ତିଆରି ହେଉଛି । ଏହାସହ ୫୪ଟି ଲେଖାଏଁ ଗୁଆରେ ୪ଟି ଗୁଆମାଳ ମଧ୍ୟ ପ୍ରସ୍ତୁତ କରିଛନ୍ତି ପାଟରା ବିଶୋଇ ସେବାୟତ । ହଳଦିଆ, ନାଲି ରଙ୍ଗର ରାକ୍ଷୀ ଜଗନ୍ନାଥଙ୍କୁ ପିନ୍ଧା ଯାଉଥିବା ବେଳେ ହଳଧର ପିନ୍ଧନ୍ତି ନେଳି ଓ ବାଇଗଣୀ ରଙ୍ଗର ରାକ୍ଷୀ । ଗହ୍ମା ପୂର୍ଣ୍ଣିମା ଦିନ ଗୋପାଳ ବଲ୍ଲଭ ଧୂପ ପରେ ପାଟେରା ବିଶୋଇ ସେବାୟତମାନେ ରାକ୍ଷୀ ଓ ଗୁଆମାଳ ମେକାପକୁ ଦେଇଥାଆନ୍ତି । ସିଂହାରି ସେବକମାନେ ମହାପ୍ରଭୁଙ୍କୁ ରାକ୍ଷୀ ଲାଗି କରନ୍ତି । ଏହାଛଡ଼ା ପାର୍ଶ୍ବ ଦେବାଦେବୀଙ୍କ ପାଇଁ ମଧ୍ୟ ରାକ୍ଷୀ ପ୍ରସ୍ତୁତି କରୁଛନ୍ତି ପାଟେରା ବିଷୋୟୀ ସେବାୟତ । ଶ୍ରୀମନ୍ଦିରରେ ବର୍ଷ ତମାମ ପାଳିତ ପର୍ବ ମଧ୍ୟରୁ ରକ୍ଷା ବନ୍ଧନର ବିଶେଷ ମହତ୍ବ ରହିଛି । ଗହ୍ମାପୂର୍ଣ୍ଣିମା ସହ ବଳଭଦ୍ର ଜନ୍ମୋତ୍ସବ ପାଇଁ ଏହି ଦିନ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ ।