ଓଡ଼ିଶା365(ବ୍ୟୁରୋ): ଆଗାମୀ ବର୍ଷ ଅର୍ଥାତ ୨୦୨୪ ମସିହାରେ ନବନିର୍ମିତ ଅଯୋଧ୍ୟା ରାମ ମନ୍ଦିରରେ ରାମଲଲାଙ୍କ ବିଗ୍ରହ ସ୍ଥାପନ କରାଯିବ। ଏନେଇ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ କମିଟିର ଅଧ୍ୟ୍ୟକ୍ଷ ନୃପେନ୍ଦ୍ର ମିଶ୍ର ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରମୁଖ ସଚିବ କହିଛନ୍ତି , ସଂପୃକ୍ତ ଅଞ୍ଚଳରେ ସୁରକ୍ଷା ପାଇଁ ବ୍ଲୁପ୍ରିଣ୍ଟ୍ ପ୍ରସ୍ତୁତ କରାଯାଇଛି। ଜନଗହଳିକୁ କିପରି ଭାବରେ ନିୟନ୍ତ୍ରଣ କରାଯିବ ସେଥିପାଇଁ ମଧ୍ୟ ବ୍ଲୁପ୍ରିଣ୍ଟ୍ ପ୍ରସ୍ତୁତ କରାଯାଇଛି। ୫୦ ହଜାର, ୧ ଲକ୍ଷ ଓ ୧୦ ଲକ୍ଷ ପର୍ଯ୍ୟଟକଙ୍କ ପାଇଁ ଅଲଗା ଅଲଗା ଯୋଜନା ହୋଇଛି। ଭକ୍ତମାନେ ୨୦ ସକେଣ୍ଡ୍ ପାଇଁ ରାମଲଲାଙ୍କ ଦର୍ଶନ କରିବା ସହ ୧ ଘଣ୍ଟା ପର୍ଯ୍ୟନ୍ତ ମନ୍ଦିର ପରିସରରେ ପରିଦର୍ଶନ କରିପାରିବେ। ସେ ଆହୁରି କହିଛନ୍ତି, ଗ୍ରାଉଣ୍ଡ୍ ଫ୍ଲୋର୍ର ନିର୍ମାଣ ସାରି ରାମଲଲାଙ୍କ ସ୍ଥାପନ କରିବା ପାଇଁ ପ୍ରଥମ ଡେଡ୍ଲାଇନ୍ ଡିସେମ୍ବର, ୨୦୨୩କୁ ରଖାଯାଇଥିଲା। ମାତ୍ର କିଛି କାରଣକୁ ନେଇ ଏହା ପ୍ରାୟ ଏକମାସ ବିଳମ୍ବ ହୋଇଛି। କେବଳ ମନ୍ଦିରଟି ୩ ଏକର ସ୍ଥାନରେ ରହିଛି। ଯେତେବେଳେ ପରିକ୍ରମା ଭୂମି କାମ ସରିଯିବ, ଏହାକୁ ୮ ଏକର ଯାଏ ବୃଦ୍ଧି କରାଯିବ। ୨୦୨୪ ଜାନୁଆରି ୨୨ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିର ଗର୍ଭଗୃହରେ ରାମଲାଲଙ୍କ ବିଗ୍ରହରେ ପ୍ରାଣ ପ୍ରତିଷ୍ଠା ହେବ। ଗର୍ଭଗୃହକୁ ଏପରି ଭାବେ ନିର୍ମାଣ କରାଯାଉଛି ଯେ, ଉଦିତ ସୂର୍ଯ୍ୟଙ୍କ କିରଣ ରାମଲଲାଙ୍କ କପାଳରେ ପଡ଼ିବ । ଏପରିକି ରାମନବମୀ ଦିନ ସୂର୍ଯ୍ୟଙ୍କ କିରଣ ୫ ମିନିଟ୍ ପର୍ଯ୍ୟନ୍ତ ରାମଲାଲାଙ୍କ କପାଳରେ ରହିବ।