ଓଡ଼ିଶା 365 (ବ୍ୟୁରୋ): ମାଇ ହାର୍ଟ ଫର ହକି । ହକି କେବଳ ଭାରତ ନୁହେଁ ଓଡିଶାର ପାଲଟିଛି ସ୍ପନ୍ଦନ। ହକିର ଯାଦୁଗରୀ ଷ୍ଟିକ୍ ସମସ୍ତଙ୍କୁ କରିଛି କିମିଆ । ସଭିଏଁ ପାଲଟିଯାଇଛନ୍ତି ହକି ଯାଦୁଗର ଧ୍ୟାନଚାନ୍ଦଙ୍କ ଫ୍ୟାନ୍ । ଦିନେ ହକିରେ ଚମତ୍କାର ପ୍ରଦର୍ଶନ କରି ଭାରତକୁ ବିଶ୍ବସ୍ତରରେ ଦେଇଥିଲେ ସ୍ବତନ୍ତ୍ର ସ୍ଥାନ,ତାଙ୍କ ଉଦ୍ଦେଶ୍ୟରେ ୧୯୯୫ ମସିହାଠାରୁ ପ୍ରତ୍ୟେକ ବର୍ଷ ଅଗଷ୍ଟ ୨୯କୁ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳନ କରାଯାଉଛି। ମଣିଷର ଶାରୀରିକ ଏବଂ ମାନସିକ ବିକାଶ ପାଇଁ କ୍ରୀଡା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ କ୍ରୀଡା ତଥା ଦୈନନ୍ଦିନ କାର୍ୟ୍ୟକଳାପର ଗୁରୁତ୍ୱ ଉପରେ ସଚେତନତା ସୃଷ୍ଟି ଏହି ଦିନର ମୁଖ୍ୟ ଉଦ୍ଦେଶ୍ୟ।
୧୯୨୮,୧୯୩୨,୧୯୩୬ରେ ଭାରତକୁ ସ୍ୱର୍ଣ୍ଣ ପଦକ ଭେଟିଦେଇଥିଲେ ମେଜର ଧ୍ୟାନଚାନ୍ଦ । ୧୯୩୨ ମସିହାରେ ୩୭ ଟି ମ୍ୟାଚରେ ଭାରତ ୩୩୮ ଗୋଲ ସ୍କୋର କରିଥିଲା । ସେଥିମଧ୍ୟରୁ କେବଳ ଧ୍ୟାନଚାନ୍ଦ ୧୩୩ ଗୋଲ ସ୍କୋର କରିଥିଲେ। ଜର୍ମାନୀର ଶାସକ ହିଟଲର ଧ୍ୟାନଚାନ୍ଦଙ୍କ ଖେଳ ଦେଖି ଚକିତ ହୋଇଯାଇଥିଲେ । ସେ ସମୟରେ ଧ୍ୟାନଚାନ୍ଦଙ୍କ ଯାଦୁଗରୀ ଷ୍ଟିକରେ ଗୋଲସ୍କୋର ସଭିଙ୍କ ହୋସ ଉଡାଉଥିଲା। ତାଙ୍କୁ ଜର୍ମାନୀ ଟିମରେ ଖେଳିବାକୁ ଅଫର ଦେଇଥିଲେ ହିଟଲର ମାତ୍ର ସେ ଏହାକୁ ପ୍ରତ୍ୟାଖାନ କରିଥିଲେ, କହିଥିଲେ ଭାରତ ପାଇଁ ଖେଳିବା ମୋ ପାଇଁ ବଡ ଉପଲବ୍ଧି।
ଅଗଷ୍ଟ ୨୯ରେ ଆଜିର ଦିନ ଭାରତର ରାଷ୍ଟ୍ରପତି କ୍ରୀଡ଼ା କ୍ଷେତ୍ରରେ ଉତ୍କର୍ଷତା ଲାଗି ଶ୍ରେଷ୍ଠ କ୍ରୀଡ଼ାବିତଙ୍କୁ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର,ଅର୍ଜୁନ ପୁରସ୍କାର, ଦ୍ରୋଣାଚାର୍ୟ୍ୟ ପୁରସ୍କାର ଆଦି ପ୍ରଦାନ କରିଥାନ୍ତି। ହକି ଯାଦୁଗରଙ୍କ କ୍ରୀଡା କ୍ଷେତ୍ରରେ ତାଙ୍କ ଦକ୍ଷତା ଓ ସଫଳତା ଆଜିବି ସଭିଙ୍କୁ ପ୍ରେରଣା ଯୋଗାଉଛି। ପାଠ ସାଥିରେ କ୍ରୀଡା କ୍ଷେତ୍ରରେ ଭଲ ପ୍ରର୍ଦଶନ କରୁଥିବା ପିଲାମାନଙ୍କୁ ଅଭିଭାବକମାନେ ପ୍ରୋତ୍ସାହନ ଦେବା ଉଚିତ । ଫଳରେ କ୍ରୀଡା କ୍ଷେତ୍ରରେ ପିଲାମାନେ ଆଗକୁ ଯିବେ,ଶାରୀରିକ ଓ ମାନସିକ ଭାବେ ସେମାନେ ଫିଟ୍ ରହିବା ସହ ଦେଶର ନାଁ ରଖିବେ।