ଓଡ଼ିଶା 365 (ବ୍ୟୁରୋ) : ହରିୟାଣାର ନୁହ ଜିଲ୍ଲାରେ ହିନ୍ଦୁ ମହାପଞ୍ଚାୟତ ପକ୍ଷରୁ ‘ଶୋଭାଯାତ୍ରା’ଲାଗି ଆହ୍ବାନ ଦିଆଯାଇଛି । ଯାହାକୁ ନେଇ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିଭିନ୍ନ ଅଞ୍ଚଳ ସୁରକ୍ଷା ବଳ ଛାଉଣୀରେ ପରିଣତ ହୋଇଛି । ନୁହରେ ଦଙ୍ଗାନିରୋଧୀ ଯାନ ଏବଂ ଡ୍ରୋନ୍ ମୁତୟନ ହୋଇଛି। ଦିଲ୍ଲୀ-ଗୁରୁଗ୍ରାମ ଜାତୀୟ ରାଜପଥରେ ୫ଟି ବଡ଼ ଚେକ୍ ପଏଣ୍ଟ ସ୍ଥାପନ କରାଯାଇଛି। ମୋବାଇଲ ଇଣ୍ଟରନେଟ୍ ସେବା ଏବଂ ଏସ୍ଏମ୍ଏସ୍ ସେବାକୁ ବନ୍ଦ ରହିଥିବା ଜଣାପଡ଼ିଛି । ସେହିପରି ସାମ୍ପ୍ରଦାୟିକ ସମ୍ବେଦନଶୀଳ ଜିଲାରେ ୧୪୪ ଧାରା ଜାରି କରାଯାଇଛି। ବାହାର ଲୋକଙ୍କୁ ଜିଲାରେ ପ୍ରବେଶ ବନ୍ଦ କରାଯାଇଛି ବୋଲି ପୁଲିସ କହିଛି ।
ଜୁଲାଇ ୩୧ ଧର୍ମୀୟ ଶୋଭାଯାତ୍ରା ସାମ୍ପ୍ରଦାୟିକ ସଂଘର୍ଷରେ ପରିଣତ ହେବା ପରେ ଜିଲା କର୍ତ୍ତୃପକ୍ଷ ସୋମବାର ଶୋଭାଯାତ୍ରା ପାଇଁ ଅନୁମତି ଦେଇନାହାନ୍ତି। ତେବେ ଗତ ସୋମବାର ଶ୍ରାବଣ ମାସର ଶେଷ ସୋମବାର ହୋଇଥିବାରୁ ସ୍ଥାନୀୟ ଲୋକଙ୍କୁ ଅନ୍ୟ ଅଞ୍ଚଳରେ ଥିବା ମନ୍ଦିରରେ ପୂଜା ପାଇଁ ଅନୁମତି ମିଳିଥିଲା। ନୁହକୁ ଯାଉଥିବା କେତେଜଣ ସନ୍ଥଙ୍କୁ ଗୁରୁଗ୍ରାମଠାରେ ପୋଲିସ ଅଟକ ରଖିଥିବା ସୂଚନା ମିଳିଛି ।