ପୁଣିଥରେ ରାଜ୍ୟ ରାଜନୀତିରେ ଶଶିକଳା ସିଣ୍ଡ୍ରୋମକୁ ନେଇ ଯୋରଧରିଛି ଚର୍ଚ୍ଚା। ସୋମବାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ରାଜନୀତିରେ ଶଶିକଳା ସିଣ୍ଡ୍ରୋମ କଥା ଉଠାଇଛନ୍ତି । ସେ କହିଛନ୍ତି ବିଗତ ଚାରି ମାସ ଭିତରେ ଦୁଇ ତିନୋଟି କଥାକୁ ସେ ମର୍ଯ୍ୟାଦା ଭିତରେ କହିଥିଲେ । ଝାରସୁଗୁଡା ଉପ ନିର୍ବାଚନ ବେଳେ ବି ସେହି କଥା କହିଥିଲେ । ରାଜ୍ୟରେ ଏବେ ଶଶିକଳା ସିଣ୍ଡ୍ରୋମର ଲକ୍ଷଣ ଦେଖାଗଲାଣି । ହେଲେ ସମସ୍ତେ ଗଣତନ୍ତ୍ରର ଲକ୍ଷ୍ମଣରେଖା ଭିତରେ ରହିବା ଉଚିତ୍ । ହେଲେ ଆମ ରାଜ୍ୟରେ ଏ ସବୁର ସୀମା ଉଲ୍ଲଂଘନ ହେଉଛି ବୋଲି ସେ କହିଛନ୍ତି।
ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ନିଜ ନିର୍ବାଚନରେ ବିରୋଧ ହେବା ପ୍ରସଙ୍ଗରେ ଧର୍ମେନ୍ଦ୍ର କହିଛନ୍ତି ଯେ, ବିରୋଧ କରିବାକୁ ପ୍ରାୟୋଜିତ ଯୋଜନା ହେଉଛି । ଏହା ପଛରେ ଷଡଯନ୍ତ୍ରକାରୀ ହେଉଛନ୍ତି ପ୍ରଶାସନିକ ଅଧିକାରୀ । ତେବେ ଇଷ୍ଟଇଣ୍ଡିଆ କମ୍ପାନୀର ରାଜୁତି ସମୟରେ ମଧ୍ୟ ଅଧିକାରୀମାନଙ୍କର ଦମ୍ଭ ଏହିଭଳି ଥିଲା । ସେପଟେ ଶଶିକଳା ସିଣ୍ଡ୍ରୋମକୁ ନେଇ ଧର୍ମେନ୍ଦ୍ରଙ୍କ ପ୍ରତିକ୍ରିୟା ପରେ ଏହାର ଜବାବ ରଖିଛି ବିଜେଡି । ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି ଯେ, କେନ୍ଦ୍ରମନ୍ତ୍ରୀ କେଉଁ ପରିପ୍ରେକ୍ଷୀରେ ଶଶିକଳା ସିଣ୍ଡ୍ରୋମ କଥା କହିଥିବେ ସେ କଥା ସେ ଜାଣିଥିବେ । ମୁଖ୍ୟମନ୍ତ୍ରୀ ସବୁ କିଛି କରୁଛନ୍ତି । ମନ୍ତ୍ରୀ ଓ ବିଧାୟକ ବି ତାଙ୍କ କାମ କରୁଛନ୍ତି । ସିଣ୍ଡ୍ରୋମ କଥା ସେ ଅନୁଭବ କରୁନାହାଁନ୍ତି ।