ଓଡ଼ିଶା 365 (ବ୍ୟୁରୋ) : ପୌଷମାସ ଅମାବାସ୍ୟା ଦିନଟି ବଉଳ ଅମାବାସ୍ୟା ଭାବେ ପାରମ୍ପରିକ ରୀତିରେ ଓଡ଼ିଶାର ଘରେ ଘରେ ଏକ ସାମାଜିକ ଉତ୍ସବ ରୂପେ ପାଳିତ ହୋଇଥାଏ । ବଉଳ ଅମାବାସ୍ୟା ପାଳନର ବିଧିବିଧାନ ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାରର ଦେଖାଯାଏ । ସାଧାରଣତଃ ଏହି ସମୟରେ ଆମ୍ବ ଓ ପଣସ ଗଛଗୁଡ଼ିକରେ ବଉଳ ବା ଫଳକଷି ଧରେ । ସାଧାରଣତ ଏହି ଉତ୍ସବ ଓଡିଆ ଘରେ ବେଶି ପାଳନ କରାଯାଇଥାଏ । ପୁରୀ ଶ୍ରୀମନ୍ଦିରରେ ଜଗନ୍ନାଥଙ୍କ ସକାଳ ଧୂପରେ ଗଇଁଠା ପିଠା ସହ ବଉଳ ଲାଗିହୁଏ । ସେହିଦିନ ବାଡ଼ିରେ ଥିବା ଆମ୍ବ, ପଣସ, ନଡିଆ, ଗୁଆ, ପିଜୁଳି ଆଦି ଗଛରେ ମୂଳରୁ ଘାସ, ଅନାବନା ଗଛ ଓ ଲତା ପରିଷ୍କାର କରାଯାଏ ।ପରେ ଗୋବର ପାଣିରେ ଗଛମୂଳକୁ ଲିପାଯାଇଥାଏ । ତା’ପରେ ସେହି ଗଛଗୁଡ଼ିକରେ ଚିତା ପକାଯାଏ । ସନ୍ଧ୍ୟା ହେଲେ ଗଛଗୁଡ଼ିକୁ ହଳଦୀ ପାଣିରେ ଗାଧୋଇ ଦେଇ ସିନ୍ଦୂର, ଧୂପଦୀପ ଓ ଗଇଁଠା ପିଠାରେ ପୂଜା କରାଯାଏ ।
କେତେକ ଅଞ୍ଚଳରେ ପୂଜା ପାଇଁ ପ୍ରସ୍ତୁତ ଗଇଁଠା ପିଠାକୁ ବଉଳଗୁଡ଼ ମଧ୍ୟ କୁହାଯାଏ । ଆମ୍ବ ବଉଳ ସଂଗ୍ରହ କରି ପିଠା ସହିତ ରଖାଯାଏ । ବଉଳ ଧରିଥିବା ଆମ୍ବଗଛ ମୂଳେ ଗଇଁଠା ପିଠା ଭୋଗ କରାଯାଏ । ଏବଂ ଏହି ଭୋଗ ଓ ଆମ୍ବ ବଉଳ ପାଖ ପଡ଼ିଶା ବନ୍ଧୁ କୁଟୁମ୍ବଙ୍କୁ ବାଣ୍ଟି ପର୍ବଟିକୁ ପାଳନ କରାଯାଏ । ଆଉ କେଉଁ କେଉଁ ସ୍ଥାନରେ ଈଷାଣ କୋଣରେ ଓ ରୋଷେଇ ଘରେ ପୂଜା କରି ଭୋଗ ବଣ୍ଟାଯାଏ । ଆଉ କେଉଁ କେଉଁ ସ୍ଥାନରେ ମଧ୍ୟ ଘରେ କ୍ଷୀରପିଠା କରି ନୂଆ ବଉଳ ଆଣି ନିଜ ପରିବାରର ଇଷ୍ଟ ଦେବୀଙ୍କୁ ପୂଜା କରାଯାଏ ।