ଓଡ଼ିଶା365(ବ୍ୟୁରୋ): ଗଣତନ୍ତ୍ରରେ ଆଇନକାନୁନ ଅଛି, ସାମ୍ବିଧାନିକ ମର୍ଯ୍ୟାଦା ଅଛି । ଗଣତନ୍ତ୍ରର ସବୁଠୁ ଉଦ୍ଧ୍ୱର୍ରେ ଅଛି ଲୋକମତ । ଆଉ ମୁଁ ଯେତିକି ଜାଣେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଗଣତାନ୍ତ୍ରିକ କାମକୁ ଆଦୌ ପ୍ରଶୟ ଦିଅନ୍ତି ନାହିଁ । ଏହା ନବୀନ ବାବୁଙ୍କର ସ୍ୱଭାବ ବିରୋଧୀ । ହେଲେ ତଥାପି ଏପରି ହେଉଛି କେମିତି? ପୁଣି ଥରେ ରାଜ୍ୟର ଶାସନ ବ୍ୟବସ୍ଥାକୁ ନେଇ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ତାଙ୍କ ନିର୍ବାଚନମଣ୍ଡଳୀ ଗସ୍ତ କରିବା ବେଳେ ବିରୋଧ କରାଯିବା ପ୍ରସଙ୍ଗକୁ ନେଇ କଡ଼ା ପ୍ରତିକ୍ରିୟା ରଖିଛନ୍ତି ଧର୍ମେନ୍ଦ୍ର । ସେ କହିଛନ୍ତି, ଭୁବନେଶ୍ୱର ସାଂସଦଙ୍କୁ ତାଙ୍କ ନିର୍ବାଚନମଣ୍ଡଳୀ ଗସ୍ତ କରିବା ବେଳେ ତଥାକଥିତ ବିରୋଧ କରିବାର ପ୍ରାୟୋଜିତ ଯୋଜନା କରାଯାଉଛି । ଗଣତନ୍ତ୍ରରେ ଯାହା ପାଖରେ ସଂଖ୍ୟାବଳ ଅଛି, ସେମାନେ ଯଦି ଦମ୍ଭ ଦେଖାଇ ପ୍ରତିପକ୍ଷ ଓ ଅସହମତ ଥିବା ଲୋକଙ୍କୁ ଅପମାନିତ କରିବେ, ତେବେ ଏହାଠୁ ବଳି କିଛି ଜଘନ୍ୟ କଥା ହୋଇନପାରେ । ବ୍ରିଟିଶ୍ ରାଜର ଇଷ୍ଟ ଇଣ୍ଡିଆ କମ୍ପାନୀର ଦମ୍ଭ ବି ଏହି ଭଳି ଥିଲା । ଓଡ଼ିଶାର ପଲ୍ଲିସଭା ନ କରିବା ପାଇଁ ସରକାରୀ ନିର୍ଦ୍ଦେଶ ଥିବା କୁହାଯାଉଛି । ସରକାରୀ ନିର୍ଦ୍ଦେଶ ସମ୍ବିଧାନର ପରିଧି ଭିତରେ ନା ବାହାରେ ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।
ଏହାସହ ସେ କହିଛନ୍ତି, ଓଡ଼ିଶାରେ ଆଲୋଚନା, ସମାଲୋଚନା ହେଉ । ରାଜନୈତିକ ସ୍ତରରେ ବିରୋଧ କରାଯାଉ । କିନ୍ତୁ ଗଣତନ୍ତ୍ରକୁ ସମ୍ମାନ ଦିଆଯାଉ । କିଛି ସରକାରୀ ଅଧିକାରୀମାନେ ଯେଉଁଭଳି ଭାବେ ହାତବାରିଶି ହେଉଛନ୍ତି, ସେମାନେ ଏପ୍ରକାର ଅଗଣତାନ୍ତ୍ରିକ ଓ ବେଆଇନ କାମରୁ ନିବୃତ୍ତ ରୁହନ୍ତୁ । ଗଣତନ୍ତ୍ରରେ ମର୍ଯ୍ୟାଦା ଓ ପରମ୍ପରାର ନିଜସ୍ୱ ସ୍ଥାନ ଅଛି । ଓଡ଼ିଶାରେ ଗତ ମେ ମାସରୁ ଶଶୀକଳା ସିଣ୍ଡ୍ରୋମର ଲକ୍ଷଣ ଦେଖାଗଲାଣି । ଗଣତନ୍ତ୍ରର ଲକ୍ଷ୍ମଣରେଖା ଭିତରେ ସମସ୍ତେ ରହିବା ଉଚିତ୍ । ଧର୍ମେନ୍ଦ୍ର ସିଧାସଳଖ ରାଜ୍ୟର ଶାସନ ବ୍ୟବସ୍ଥା ବା ସିଏମଓକୁ ଟାର୍ଗେଟ କରି କହିଛନ୍ତି, ଦମ୍ଭ ଦେଖାଇ ସମ୍ବିଧାନକୁ ନିଜ ଢଙ୍ଗରେ ଜଲାଇବା ପାଇଁ ଯେଉଁମାନେ ଭାବିଛନ୍ତି ତେବେ ସେମାନେ ଭୁଲ ଭାବିଛନ୍ତି । ଏହି ଭ୍ରମ ଧାରଣାକୁ ସେମାନେ ଦୂର କରନ୍ତୁ । ଅପରାଜିତାଙ୍କ ସପକ୍ଷରେ ଧର୍ମେନ୍ଦ୍ରଙ୍କ ଏହି କଡ଼ା ସମାଲୋଚନାକୁ ନେଇ ଏବେ ରାଜ୍ୟ ରାଜନୀତିରେ ବେଶ୍ ଚର୍ଚ୍ଚା ।