ଓଡ଼ିଶା365(ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧୃତରାଷ୍ଟ୍ର ହୋଇ ବସି ରହିଲେ ଚଳିବନି। ମୁଖ୍ୟମନ୍ତ୍ରୀଙ୍କୁ ରାଜଧର୍ମ ପାଳନ କରିବାକୁ ପଡ଼ିବ। ଯାହା ଆମେ ତାଙ୍କ ପାଖରୁ ଆଶା କରୁଛୁ। ନବୀନ ବାବୁଙ୍କ ଉଦ୍ଦେଶ୍ୟରେ ଏହା କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଗତକାଲି ନିଜ ସଂସଦୀୟ କ୍ଷେତ୍ର ଗସ୍ତ ବେଳେ ଗିରିଙ୍ଗ ଛକରେ ଅପରାଜିତା ଷଡ଼ଙ୍ଗୀଙ୍କୁ ବିରୋଧ ହେୋଇଥିଲା । ମିଶନ ଶକ୍ତିର ମହିଳା ଓ ବିଜେଡି କର୍ମୀମାନେ ତାଙ୍କୁ ବିରୋଧ କରିଥିଲେ। ବିଜେଡି କର୍ମୀ କଳାପତାକା ପ୍ରଦର୍ଶନ କରିବା ସହ ମିଶନଶକ୍ତି ମହିଳାମାନେ ଢ଼େଲା ଓ ପଥର ଧରି ଗାଡ଼ି ଆଗକୁ ଆସିବା ସହ ବିରୋଧ କରିଥିଲେ। ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ସୋସିଆଲ ମିଡିଆରେ ଟାର୍ଗେଟ କରିଛନ୍ତି ଅପରାଜିତା।
ଅପରାଜିତା ତାଙ୍କ ପୂର୍ବ ଟ୍ୱିଟ୍ରରେ ଲେଖିଛନ୍ତି, ସଶକ୍ତୀକରଣ ନାଁରେ ମିଶନଶକ୍ତି ମହିଳାଙ୍କୁ ଆକ୍ରମଣ କରିବା କାର୍ଯ୍ୟରେ ଲଗାଯାଉଛି। ମୁଁ ଜଣେ ନିର୍ବାଚିତ ମହିଳା ସାଂସଦ ହୋଇଥିଲେ ବି ମୋ ଉପରେ ଆକ୍ରମଣ ଉଦ୍ୟମ କରାଯାଉଛି। ଏହା କ’ଣ ପ୍ରକୃତ ମିଶନ ଶକ୍ତି କି ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି? ତେଣୁ ମୁଖ୍ୟମନ୍ତ୍ରୀ ଧୃତରାଷ୍ଟ୍ର ନ ହୋଇ ରାଜଧର୍ମ ପାଳନ କରନ୍ତୁ। ସେମାନଙ୍କୁ ଏହି ବିଷୟରେ ପଚାରି ବୁଢନ୍ତୁ ଏବଂ ମିଶନଶକ୍ତି ମହିଳାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ବିଜେଡି ପକ୍ଷରୁ ଜାଣିଶୁଣି ଏଭଳି ବିରୋଧ ସହ ଅଣ୍ଡା,ଟେକା ଓ ପଥର ମାଡ଼ କରାଯିବା କଣ ଯୁକ୍ତିଯୁକ୍ତକି ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି।