ଓଡ଼ିଶା 365 (ବ୍ୟୁରୋ) : ଚନ୍ଦ୍ରଭାଗା ଛାଡି ସବୁଦିନ ପାଇଁ ଅସ୍ତ ହୋଇଗଲେ, ଏବେ ଖାଁ ଖାଁ ଅଗଣା ,ସବୁ ଯେମିତି ଶୂନଶାନ,ସେ ଗ୍ରୀଷ୍ମରେ ବସନ୍ତର ଆନନ୍ଦ ନେଉଥିଲେ, କ୍ଷୁଧାରେ ଆତ୍ମତୃପ୍ତିର ସନ୍ଧାନରେ ଥିଲେ , ମାତୃଭାଷାର ମୋହରେ ଆଜନ୍ମ ବାନ୍ଧି ହୋଇରହିଥିଲେ ସେ। ଇଂରାଜୀରେ ଦୁର୍ବଳ ଥିଲେ। କଲେଜରେ ପଢ଼ିବା ବେଳେ ଇଂରାଜୀରେ ୨୩ ନମ୍ବର ରଖି ଫେଲ ହୋଇଥିଲେ। କିନ୍ତୁ ପରବର୍ତ୍ତି ସମୟରେ ବଦଳିଥିଲା ଜୀବନର ମୋଡ,ସେ ଓଡିଆ ସାଥିରେ ଇଂରାଜୀ କାବ୍ୟ,କବିତା ପ୍ରେମରେ ପଡିଥିଲେ, ସେ ଥିଲେ ପ୍ରଥମ କବି ଯେ କି ଇଂରାଜୀ ସାହିତ୍ୟ ପାଇଁ ସାହିତ୍ୟ ଏକାଡେମି ପୁରସ୍କାର ପାଇଥିଲେ। ସାମ୍ବାଦିକତାରୁ କ୍ୟାରିୟର ଆରମ୍ଭ କରି ଅଧ୍ୟାପକ,ଜଣେ ସଫଳ ଅନ୍ତର୍ଜାତିକ ଖ୍ୟାତିସଂପନ୍ନ କବି ହୋଇପାରିଥିଲେ ପଦ୍ମଶ୍ରୀ ଡକ୍ଟର ଜୟନ୍ତ ମହାପାତ୍ର।
ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି।
୯୫ବର୍ଷ ବୟସରେ ତାଙ୍କ ତିରୋଧାନ କେବଳ ରାଜ୍ୟ ଅବା ଦେଶ ନୁହେଁ ବିଶ୍ବର ସାହିତ୍ୟ ଜଗତରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି କରିଛି। ତାଙ୍କୁ ବାନ୍ଧି ରଖି ପାରିନି ଜନ୍ମମାଟି କଟକ। ସବୁଦିନ ପାଇଁ ମା କୋଳରେ ଚିରନିଦ୍ରାରେ ଶୋଇପଡିଛନ୍ତି ଯଶସ୍ଵୀ ସାହିତ୍ୟିକ ପୁଅ ଜଣଙ୍କ।ସବୁଠି ଶୋକାତୁଳ ପରିବେଶ। କଟକର ପର୍ବପର୍ବାଣୀ, ଉତ୍ସବ, ଖାଦ୍ୟପେୟ, ପରିବେଶ ଜୟନ୍ତଙ୍କ ପାଇଁ ଥିବା ସବୁ କିଛି। କଟକର ବାଲିଯାତ୍ରା, ଦୁର୍ଗାପୂଜା, ବାଲିଯାତ୍ରାରେ ମିଳୁଥିବା ଠୁଙ୍କାପୁରୀ, ରଘୁ ଦହିବରା ଶେଷ ସମୟ ଯାଏ ବି ତାଙ୍କର ପ୍ରିୟ ଥିଲା। ସେ ଯେଉଁ ଆଡେ ଗଲେ ବି କଟକକୁ କେବେ ଭୁଲି ନଥିଲେ। କଟକ ହେଉଛି ତାଙ୍କ ହୃଦୟର ବର୍ଣ୍ଣ ବୋଧ। ଆଜି ଜନ୍ମମାଟିରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଆଜି ଶେଷକୃତ୍ୟ ସମ୍ପନ୍ନ ହୋଇଛି। ତାଙ୍କ ଲେଖନୀ ମାଧ୍ୟମରେ ସେ ମରି ବି ଅମର ହୋଇ ଯାଇଛନ୍ତି। ୧୯୨୮ରେ କଟକରେ ଜନ୍ମଗ୍ରହଣ କରିଥିଲେ ସେ। ବିହାର ପାଟନା ବିଶ୍ବ ବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରୁ ସ୍ନୋତକୋତ୍ତର ପାସ କରିଥିଲେ। ବିଭିନ୍ନ ସରକାରୀ କଲେଜରେ ଫିଜିକ୍ସ ପ୍ରଫେସର ଭାବେ କାର୍ଯ୍ୟରତ ଥିବା ବେଳେ ତାଙ୍କର କବିତା ସାଧନା ତାଙ୍କୁ ଆନ୍ତର୍ଜାତିକ ସ୍ତରରେ ଦେଇଥିଲା ଭିନ୍ନ ପରିଚୟ ।
୨୭ଟି ପୁସ୍ତକ ରଚନା କରିଥିବା ଜୟନ୍ତ ମହାପାତ୍ରଙ୍କର ଇଣ୍ଡିଆନ ସମର, ହଙ୍ଗର, ରିଲେସନ ସିପ, ବେୟାର ଫେସ୍ ସ୍ୟାଡୋ ସ୍ପେସ ଭଳି କିଛି କବିତା ଲାଗି ଆନ୍ତର୍ଜାତିକ ସ୍ତରରେସେ ଚର୍ଚ୍ଚିତ ହୋଇଥିଲେ। ଇଂରାଜୀ କବିତା ପୁସ୍ତକ ‘କ୍ଲୋଜ ଜି ସ୍କାର’, ରେନ ଅଫ ଟାଇମ୍ସ, ଲାଇଫ ସାଇନ୍ସ ଏବଂ ହ୍ବାଇଟନେସ ଅଫ ବୋନ ଆଦି ସଂକଳନ ବେଶ ଆଦୃତ ଲାଭ କରିଥିଲା । ତାଙ୍କ ଲେଖାରେ ଥିଲା ଓଡିଶା ମାଟିର ମହକ। କବିତାରେ ବାରି ହୋଇ ପଡୁଥିଲା ସାଧାରଣ ଲୋକଙ୍କ ଜୀବନର ଅକୁହା କଥା ଓ ବ୍ୟଥା । ତାଙ୍କ ଲେଖାଗୁଡିକ ମଧ୍ୟରେ ସ୍ବୟଂବର, ପ୍ରତୀକ୍ଷା, ସମ୍ପର୍କ, ବଳୀ, କହିବି ଗୋଟିଏ କଥା, ବାୟା ରାଜା, ଟିକିଏ ଛାଇ, ଭୋର ମୋତିର କାନଫୁଲ ରଚନା କରି ସାହିତ୍ୟକୁ ସମୃଦ୍ଧ କରିଥିଲେ ।
ସାହିତ୍ୟ ସାଧନା ପାଇଁ ଅନେକ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ସେ ସାହିତ୍ୟ ସହିତ ପ୍ରକୃତି ଓ ପରିବେଶକୁ ଭଲ ପାଉଥିଲେ।
୨୦୦୯ ମସିହାରେ ତାଙ୍କୁ ପଦ୍ମଶ୍ରୀ ଉପାଧି ମିଳିଥିଲା। ପଦ୍ମଶ୍ରୀ ସମ୍ମାନ, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ସାରଳା ସମ୍ମାନ, ଗଙ୍ଗାଧର ଜାତୀୟ ସମ୍ମାନ ପାଇଥିଲେ । ଉତ୍କଳ ରତ୍ନ ସମ୍ମାନ, ବିଷୁବ ପୁରସ୍କାରରେ ତାଙ୍କୁ ସମ୍ମାନିତ କରାଯାଇଛି । ଜୟନ୍ତ ମହାପ୍ରାତ୍ରଙ୍କ ବିୟୋଗରେ ସାହିତ୍ୟ ଜଗତରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ପରଲୋକରେ ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରିଛନ୍ତି । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହୋଇଛି ଶେଷକୃତ୍ୟ । ବିଦେଶରେ ତାଙ୍କ ଅସାଧାରଣ ପ୍ରତିଭା ଆଜି ବି ଅମଳିନ,ଭାଷା ସାହିତ୍ୟ ମାଟି ପ୍ରତି ତାଙ୍କ ପ୍ରେମକୁ ସବୁ ଦିନ ମନେ ରଖିବ ଏମାଟି।