ଓଡ଼ିଶା 365 (ବ୍ୟୁରୋ): ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କବି ପଦ୍ମଶ୍ରୀ ଡକ୍ଟର ଜୟନ୍ତ ମହାପାତ୍ରଙ୍କ ଶେଷକୃତ୍ୟ ସମ୍ପନ। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କଟକ ଖାନନଗର ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ପ୍ରଶାସନ ପକ୍ଷରୁ ଏନେଇ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ଶେଷକୃତ୍ୟ ସାମିଲ ହୋଇଥିଲେ ବହୁ ସାହିତ୍ୟିକ ଓ ରାଜନେତା। ଗତକାଲି ରାତି ୯ଟାରେ କଟକ ବଡ଼ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା। ଡ. ମହାପାତ୍ର କିଛି ଦିନ ହେଲା ଅସୁସ୍ଥ ଥିଲେ। ଜ୍ବରରେ ପଡ଼ିବା ସହ ତାଙ୍କ ହୃତ୍ସ୍ପନ୍ଦନରେ ସମସ୍ୟା ଦେଖାଦେଇଥିଲା। ଘରେ ରହି ସେ ଚିକିତ୍ସିତ ହେଉଥିଲେ। ହୃଦରୋଗ ବିଶେଷଜ୍ଞ ପ୍ରଫେସର୍ ଡାକ୍ତର ବିଶ୍ୱଜିତ ଦାସଙ୍କ ନେତୃତ୍ବରେ ଏହି ଟିମ୍ ଡ. ମହାପାତ୍ରଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ତେବେ ଗତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିଲା। ବିଶିଷ୍ଟ କବି ଜୟନ୍ତ ମହାପାତ୍ରଙ୍କ ବିୟୋଗରେ ସାହିତ୍ୟିକ ମହଲରେ ଗଭୀର ଶୋକପ୍ରକାଶ ପାଇଛି। ତାଙ୍କ ବିୟୋଗରେ ଉଭୟ ଇଂରାଜୀ ଓ ଓଡ଼ିଆ ଭାଷା ସାହିତ୍ୟରେ ଏକ ଯୁଗର ଅନ୍ତ ଘଟିଛି। ନିମୋନିଆରେ ଆକ୍ରାନ୍ତ ହେବା ପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଅଗଷ୍ଟ ୪ ତାରିଖରେ ଭର୍ତ୍ତି କରାଯାଇଥିଲା। ୨୬ ତାରିଖ ରାତି ୯ଟାରେ ତାଙ୍କୁ ଭେଣ୍ଟିଲେଟର୍କୁ ନିଆଯାଇଥିଲା। କିନ୍ତୁ ରବିବାର ୨୭ ତାରିଖ ରାତି ୯ଟାରେ ତାଙ୍କର ହୃଦ୍ଘାତରେ ପରଲୋକ ହୋଇଥିଲା। ବିଳମ୍ବିତ ରାତିରେ ତାଙ୍କ ମରଶରୀରକୁ କଟକ ତିନିକୋଣିଆ ବଗିଚାସ୍ଥିତ ବାସଭବନ ‘ଚନ୍ଦ୍ରଭାଗା’କୁ ନିଆଯାଇଥିଲା।
ସୂଚନାଯୋଗ୍ୟ, ୧୯୨୮ ମସିହା ଅକ୍ଟୋବର ମାସ ୨୨ତାରିଖ ଦୁର୍ଗାଷ୍ଟମୀରେ କଟକ ତିନି କୋଣିଆ ବଗିଚାରେ ଜନ୍ମଗ୍ରହଣ କରିଥିଲେ ଜୟନ୍ତ । ପିତାଙ୍କ ନାମ ଥିଲା ନେମୁଏଲ ମହାପାତ୍ର ଓ ମାତାଙ୍କ ନାମ ସୁଧାଂଶୁବାଳା ଦାଶ । ସେ କଟକର ଷ୍ଟିବର୍ଟ ସ୍କୁଲରେ ପଢ଼ା ଆରମ୍ଭ କରି ପରେ ପଦାର୍ଥ ବିଜ୍ଞାନରେ ସ୍ନାତକତ୍ତୋର ହାସଲ କରିଛନ୍ତି। ୧୯୪୯ ମସିହାରେ ସେ ରାଜ୍ୟର ବିଭିନ୍ନ ସରକାରୀ କଲେଜ ଯଥା, ଫକୀରମୋହନ କଲେଜ, ବାଲେଶ୍ୱର , ଗଙ୍ଗାଧର ମେହେର କଲେଜ, ସମ୍ବଲପୁର, ବି. ଜେ.ବି କଲେଜ, ଭୁବନେଶ୍ୱର ଏବଂ ରେଭେନ୍ସା କଲେଜ, କଟକରେ ପଦାର୍ଥ ବିଜ୍ଞାନ ବିଭାଗରେ ଅଧ୍ୟାପକ ଭାବେ କାର୍ଯ୍ୟ କରି ୧୯୮୬ରେ ଅବସର ଗ୍ରହଣ କରିଥିଲେ । ୧୯୭୧ରେ ତାଙ୍କର ପ୍ରଥମ କବିତା ସଂକଳନ ସ୍ୱୟଂବର ପରେ ‘କ୍ଲୋଜ ଦି ସ୍କାଇ, ଟେନ ବାଇ ଟେନର ପ୍ରକାଶନ ହୋଇଥିଲା । ତାଙ୍କର କବିତା ଗୁଚ୍ଛ ମଧ୍ୟରୁ ଏ ରେନ ଅଫ ରାଇଟ୍ସ , ଲାଇଫ ସାଇନସ ଏବଂ ଏ ୱାଇଟନେସ ଅଫ ବୋନ ଆଦି ଉଚ୍ଚକୋଟୀର । ୧୯୮୧ ମସିହାରେ ଜୟନ୍ତଙ୍କ କବିତା ସଂକଳନଦି ଲଙ୍ଗ ପଏମ ରିଲେସନସିପ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲେ। ସବୁଠୁ ବଡ଼ କଥା ହେଉଛି ଭାରତରେ ଜୟନ୍ତ ପ୍ରଥମ ଓ ଏକମାତ୍ର କବି ଯାହାଙ୍କୁ ଇଂରାଜୀ ସାହିତ୍ୟ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି। ପାହିନି ରାତି (ଆତ୍ମଜୀବନୀ) ସ୍ୱୟଂବର, ପ୍ରତୀକ୍ଷା, ସମ୍ପର୍କ, ବଳୀ, କହିବି ଗୋଟିଏ କଥା ,ଟିକିଏ ଛାଇ, ବାୟା ରାଜା,ଯଦି’ବା ଗପ ଟିଏ ଆଦି ପୁସ୍ତକ ସହ ଇଂରାଜୀ ଭାଷାରେ ଶେଡ଼ୋ ସ୍ପେସ, ବେଆର ଫେସ ଏବଂ ରେଣ୍ଡୋମ ଡିସେଣ୍ଟ ଇତ୍ୟାଦି ସଙ୍କଳନର ସେ ସ୍ରଷ୍ଟା ଥିଲେ । କେବଳ କବିତା ନୁହଁ, ସେ ମଧ୍ୟ ଅନେକ ପ୍ରବନ୍ଧ ରଚନା କରିଛନ୍ତି । କିଛି କ୍ଷୁଦ୍ର ଗଳ୍ପ ଗୁଡିକୁ ନେଇ ସେ ଏକାକୀ ଗ୍ରୀନ ଗାର୍ଡେନର ନାମକ ଏକ ପୁସ୍ତକ ପ୍ରକାଶ କରିଛନ୍ତି ।
ସାହିତ୍ୟ ସହିତ ସମ୍ପାଦନ କ୍ଷେତ୍ରରେ ମଧ୍ୟ ସଫଳତା ଅର୍ଜନ କରିଥିଲେ କବି ଜୟନ୍ତ । କଟକରୁ ପ୍ରକାଶିତ ହେଉଥିବା ଏକ ସାହିତ୍ୟ ପୁସ୍ତିକା ଚନ୍ଦ୍ରଭାଗାକୁ ସେ ବହୁ ବର୍ଷ ଧରି ସମ୍ପାଦନା କରିଥିଲେ । ସ୍ୱର୍ଗତ ମହାପାତ୍ର ତାଙ୍କର ଅନବଦ୍ୟ ସାହିତ୍ୟ କେଉଁଟି ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ଫେଲୋସିପ – ୨୦୧୯, ପଦ୍ମଶ୍ରୀ, ୨୦୦୯, କେନ୍ଦ୍ର ସାହିତ୍ୟ ଏକାଡେମୀ, ୧୯୮୧ ଉତ୍କଳ ରତ୍ନ ସମ୍ମାନ, ୨୦୧୪ ସାରଳା ସମ୍ମାନ, ୨୦୧୦ ବିଷୁବ ପୁରସ୍କାର, ୨୦୦୭ ଗଙ୍ଗାଧର ଜାତୀୟ ସମ୍ମାନ, ୧୯୯୪ କହ୍ନେୟାଲାଲ ସେଠିଆ ସମ୍ମାନ – ୨୦୧୭(ଜୟପୁର ସାହିତ୍ୟ ଉତ୍ସବରେ ଜୀବନବ୍ୟାପି ସାହିତ୍ୟକୁ ଅବଦାନ ପାଇଁ), ଜାକବ ଗ୍ଲାଡଷ୍ଟୋନ ପୁରସ୍କାର(ଆମେରିକୀୟ ପତ୍ରିକା ପୋଏଟ୍ରି ଚିକାଗୋ ତରଫରୁ ପ୍ରଦତ୍ତ),କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ – ୨୦୨୩ (ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପ୍ରଦତ୍ତ ଆଦି ପୁରସ୍କାର ଓ ସମ୍ମାନରେ ସମ୍ମନିୟତ ହୋଇଥିଲେ । ତାଙ୍କ ମୃତ୍ୟୁରେ ଓଭୟ ଓଡ଼ିଆ ଓ ଇଂରାଜୀ ସାହିତ୍ୟରେ ଶୋକର ଛାୟା ଖେଳିଯାଇଛି।