ଓଡ଼ିଶା 365 (ବ୍ୟୁରୋ): ରାକ୍ଷୀ ପୂର୍ଣ୍ଣିମାକୁ ଆଉ ଦିନ କେଇଟା ଅପେକ୍ଷା। ଏଇ କ୍ରମରାତରେ ଆମ ମହାପ୍ରଭୁ ମଧ୍ୟ ହାତରେ ବାନ୍ଧିବେ ରାକ୍ଷୀ। ଏଥିପାଇଁ ଶ୍ରୀକ୍ଷେତ୍ର ପୁରୀରୁ ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଭଉଣୀ ସୁଭଦ୍ରା ବଡ଼ ଭାଇ ବଳଦେବଙ୍କ ପାଇଁ ତୁଳସୀ କ୍ଷେତ୍ରକୁ ପଠାଇଛନ୍ତି ରାକ୍ଷୀ।ପୁରୀ ଶ୍ରୀମନ୍ଦିରର ମା’ ସୁଭଦ୍ରାଙ୍କ ବାଡଗ୍ରାହୀ ତଥା ଅନ୍ତର୍ଜାତୀୟ ପାଟରା ବିକାଶ ପରିଷଦର ସଭାପତି ରାମଚନ୍ଦ୍ର ଦାସ ମହାପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ୩ଟି ରାକ୍ଷୀ ସହ କେନ୍ଦ୍ରାପଡାର ତିନିମୁହାଣୀସ୍ଥିତ ଶ୍ରୀରାମ ମନ୍ଦିର ନିକଟରେ ପହଞ୍ଚିଛନ୍ତି । ସେଠାରୁ ଏହି ପ୍ରତିନିଧିଦଳଙ୍କୁ ୨ଟି ଗାଡିରେ ସଂକୀର୍ତନ ମଣ୍ଡଳୀ ଓ ଶ୍ରୀଜୀଉଙ୍କ ଶ୍ରଦ୍ଧାଳୁମାନେ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ଇଛାପୁରସ୍ଥିତ ଶ୍ରୀବଳଦେବଜୀଉଙ୍କ ଯାତ୍ରୀନିବାସକୁ ପାଛୋଟି ନେଇଛନ୍ତି । ତିନିମୁହାଣୀରୁ କେନ୍ଦ୍ରାପଡା ସହର ମଧ୍ୟ ଦେଇ ଏହି ଶୋଭାଯାତ୍ରା ଯିବା ସମୟରେ ରାସ୍ତାର ଉଭୟ ପାଶ୍ୱର୍ରେ ଏହି ରାକ୍ଷୀକୁ ଦର୍ଶନ କରିବା ପାଇଁ ଛିଡା ହୋଇଥିବା ଶତାଧିକ ଶ୍ରଦ୍ଧାଳୁ, ଭକ୍ତ ଓ ଜନତାଙ୍କ ହରିବୋଲ, ହୁଳହୁଳି ପକାଇଥିଲେ।
ଆସନ୍ତ ଗହ୍ମାପୂର୍ଣ୍ଣିମାରେ ଶ୍ରୀ ବଳଦେବଜୀଉଙ୍କ ଜନ୍ମ ଦିବସ ତଥା ରାକ୍ଷୀ ପୂର୍ଣ୍ଣିମା ଅବସରରେ ଶ୍ରୀ ଜୀଉମାନଙ୍କୁ ରାକ୍ଷୀ ଗୁଡିକ ପିନ୍ଧାଇ ଦିଆଯିବ । ଉକ୍ତ ପାଟରାକ୍ଷୀ ହସ୍ତାନ୍ତର ପାଇଁ ଆସିଥିବା ପ୍ରତିନିଧିଙ୍କ ମଧ୍ୟରେ ସର୍ବ ଭାରତୀୟ ପାଟରା ବିକାଶ ପରିଷଦ ସଭାପତି ଦୁର୍ଯ୍ୟୋଧନ ସାହୁ, କାର୍ଯ୍ୟକ୍ରମର ପୃଷ୍ଟପୋଷକ ସୁରେଶ କୁମାର ପାଣିଗ୍ରାହୀ, ଶୁଭେନ୍ଦୁ କୁମାର ସ୍ୱାଇଁ ପ୍ରମୁଖ ସାମିଲ ହୋଇଥିଲେ ।