ଓଡ଼ିଶା 365 (ବ୍ୟୁରୋ) : ହିନ୍ଦୁ ଧର୍ମରେ ବେଲପତ୍ରକୁ ଖୁବ୍ ପବିତ୍ର ବୋଲି ଆମେ ମାନିଥାଉ । ଏହାକୁ ଭଗବାନ ଶିବଙ୍କୁ ଅର୍ପଣ କରାଯାଇଥାଏ । ଶିଭ ଠାକୁରଙ୍କୁ ବେଲପତ୍ର ଅର୍ପଣ କରିବା ଦ୍ୱାରା ସମସ୍ତ ମନସ୍କାମନା ପୂରଣ ହୋଇଥାଏ ବୋଲି ହିନ୍ଦୁ ଧର୍ମାବଲମ୍ବୀ ଏବଂ ଶୈବ ଭକ୍ତ ବିଶ୍ୱାସ କରିଥାନ୍ତି। ଏହାର ଧାର୍ମିକ ଗୁଣ ସହ ଅନେକ ସ୍ୱାସ୍ଥ୍ୟ ଉପକାରୀ ଗୁଣ ମଧ୍ୟ ରହିଛି। ଏହା ଶରୀରର ଅନେକ ଛୋଟ ବଡ଼ ରୋଗ ଦୂର କରିବାରେ ସାହାଯ୍ୟ କରିଥାଏ। ନିୟମିତ ବେଲପତ୍ର ଖାଇବା ଦ୍ୱାରା ଅନେକ ଉପକାର ମିଳିଥାଏ।
ନିୟମିତ ସକାଳେ ଖାଲି ପେଟରେ ବେଲପତ୍ର ସେବନ କରିବା ଦ୍ୱାରା ହୃଦୟ ଜନିତ ସମସ୍ୟା ଦୂର ହୋଇ ହୃଦୟ ସୁସ୍ଥ ରହିଥାଏ। ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ରହିଛି। ଯାହା ହୃଦୟ ଜନିତ ଅନେକ ସମସ୍ୟାରୁ ରକ୍ଷା କରିଥାଏ। ଏଥି ସହ ଏହା ଉଚ୍ଚ ରକ୍ତଚାପ ବିପଦକୁ ଏଡ଼ାଇବାରେ ସାହାଯ୍ୟ କରିଥାଏ।
ମଧୁମେହ ରୋଗୀଙ୍କ ପାଇଁ ବେଲପତ୍ର କୌଣସି ବରଦାନ ଠାରୁ କମ୍ ନୁହେଁ। ରକ୍ତ ଶର୍କରା ନିୟନ୍ତ୍ରଣ ପାଇଁ ଖାଲି ପେଟରେ ଆପଣ ପ୍ରତିଦିନ ବେଲପତ୍ର ଖାଆନ୍ତୁ। ଏଥିରେ ଥିବା ଫାଇବର ଓ ଅନ୍ୟ ପୋଷକ ତତ୍ତ୍ୱ ମଧୁମେହ ରୋଗୀଙ୍କ ପାଇଁ ଖୁବ୍ ଲାଭଦାୟକ ଅଟେ। ବେଲପତ୍ରରେ ଫାଇବରର ମାତ୍ରା ଅଧିକ ପରିମାଣରେ ରହିଥାଏ। ବେଲପତ୍ର ପାଚନତନ୍ତ୍ରକୁ ସୁସ୍ଥ ରଖିଥାଏ। ପେଟ ସହ ଜଡ଼ିତ ଅନେକ ସମସ୍ୟାକୁ ଏହା ଦୂର କରିବାରେ ସାହାଯ୍ୟ କରିଥାଏ। ପ୍ରତିଦିନ ସକାଳୁ ଉଠି ଖାଲିପେଟରେ ବେଲପତ୍ର ଖାଆନ୍ତୁ। ଏହା ଗ୍ୟାଷ୍ଟ୍ରିକ, ଏସିଡିଟି, ବଦହଜମି, କୋଷ୍ଠକାଠିନ୍ୟ ଭଳି ଅନେକ ସମସ୍ୟା ଦୂର କରିଥାଏ।