ଓଡ଼ିଶା 365 (ବ୍ୟୁରୋ): ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଉତ୍ୟକ୍ତ ମହିଳାଙ୍କ ଆକ୍ରମଣର ଫଟୋ ଜାରିକଲା ବିଜେପି । ଗତକାଲି ସାଂସଦ ନିଜ ନିର୍ବାଚନମଣ୍ଡଳୀର ବାଲିପାଟଣା ଗସ୍ତ ବେଳେ କିଛି ମହିଳା ଆକ୍ରମଣ କରିବାକୁ ହାତରେ ପଥର ଓ ଅଣ୍ଡା ନେଇ ଆସିଥିବା ଦେଖିବାକୁ ମିଳିଥିଲା । ତେବେ ଏହାକୁ ବିଜେଡିର ପ୍ରାୟୋଜିତ ବିରୋଧ ବୋଲି କହିଛନ୍ତି ଅପରାଜିତା । ଏନେଇ ନିଜ ସୁରକ୍ଷା ପାଇଁ ଜିଲ୍ଲାପାଳଙ୍କୁ ଏକ ଚିଠି ଲେଖିଛନ୍ତି । ଆଉ ଏହି ସମୟରେ କିଛି ଫଟୋ ଜାରି କରିଛି ବିଜେପି । ଯେଉଁଥିରେ ମହିଳା ମାନେ ଟେକା ପଥର, ଅଣ୍ଡା ଓ କଳାପତାକା ଧରିଥିବା ଦେଖିବାକୁ ମିଳିଛି ।
ସୂଚନାଯୋଗ୍ୟ, ନିଜ ନିର୍ବାଚନମଣ୍ଡଳୀର ବାଲିପାଟଣା ଗସ୍ତ ବେଳେ ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ବିରୋଧ କରାଯାଇଛି। କଥା କଟାକଟିରୁ ଉତ୍ତେଜନା ବଢି ଦୁଇ ଗୋଷ୍ଠୀ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଛି । ବାଲିପାଟଣା ଅଠାନ୍ତର ରାସ୍ତାରେ ଅପରାଜିତାଙ୍କ ସମର୍ଥକ ଓ ଅନ୍ୟ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି । ଅଠାନ୍ତରର ଗିରିଙ୍ଗେଶ୍ୱରୀ ପୀଠରେ ବିଜେପିର ବୁଥ ସଶକ୍ତୀକରଣ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଯାଉଥିଲେ ଅପରାଜିତା । ଆଉ ରାସ୍ତାରେ ଅଟକି ରହିଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ସାଂଘାତିକ କଥା ହେଉଛି, ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ ପୋଲିସ ଉପସ୍ଥିତିରେ ହୋଇଥିଲେ ପୋଲିସ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛି । ଏହାକୁ ନେଇ ସାଂସଦଙ୍କ ସମର୍ଥକଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ଭୁବନେଶ୍ୱର ସାଂସଦ ତାଙ୍କ କାର୍ଯ୍ୟକ୍ରମରେ ଆଗକୁ ବିଶୃଙ୍ଖଳା ହେଲେ ରାଜ୍ୟ ସରକାର ଦାୟୀ ରହିବେ ବୋଲି କହିଥିଲେ । ତାଙ୍କ ସଭାରେ ସୁନିୟୋଜିତ ଢଙ୍ଗରେ ବିଶୃଙ୍ଖଳା କଲେ ସେଠାରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଥିଲେ । ନାରୀ ହୋଇଥିବାରୁ ନିଜକୁ ଅସୁରକ୍ଷିତ ମଣୁଥିବା ବି କହିଥିଲେ ।