ଓଡ଼ିଶା365(ବ୍ୟୁରୋ): ୨୦ଜଣ ନୌସେନା ଯବାନଙ୍କୁ ନେଇ ଯାଉଥିବା ଆମେରିକା ସେନାବାହିନୀର ଏକ ହେଲିକପ୍ଟର୍ ଉତ୍ତର ଅଷ୍ଟ୍ରେଲିଆର ଡାର୍ୱିନ୍ ଦ୍ବୀପ ଉପକୂଳ ସମୁଦ୍ରରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ‘ସ୍କାଏ ନିଉଜ୍ ଅଷ୍ଟ୍ରେଲିଆ’ ରିପୋର୍ଟରୁ ଜଣାପଡ଼ିଛି । ‘ଭି-୨୨ ଅସ୍ପ୍ରେ’ ନାମକ ଆମେରିକାର ଏହି ସେନା ହେଲିକପ୍ଟର୍ ସମରାଭ୍ୟାସ ଚାଲିଥିବା ମେଲ୍ଭାଇଲ୍ ଦ୍ବୀପ ନିକଟରେ ସମୁଦ୍ର ମଧ୍ୟକୁ ଖସିପଡ଼ିଛି। ଏଥିରେ ଆମେରିକା, ଅଷ୍ଟ୍ରେଲିଆ, ଇଣ୍ଡୋନେସିଆ, ଫିଲିପ୍ପିନ୍ସ୍ ଟିମୋର-ଲେଷ୍ଟ୍ର ସେନା କର୍ମଚାରୀମାନେ ଥିବା ‘ସ୍କାଏ ନିଉଜ୍’ ରିପୋର୍ଟରେ ଉଲ୍ଲେଖ ।
‘ଏକ୍ସର୍ସାଇଜ୍ ପ୍ରିଡାଟର୍ସ ରନ୍ ୨୦୨୩’ ଚାଲିଥିବା ବେଳେ ଉକ୍ତ ହେଲିକପ୍ଟର୍ ଦିନ ପ୍ରାୟ ୧୦ଟା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣେ ଅଷ୍ଟ୍ରେଲୀୟ ମୁଖପାତ୍ର କହିଛନ୍ତି। ହେଲିକପ୍ଟର୍ ଦୁର୍ଘଟଣାଗ୍ରସ୍ତ ହୋଇ ଖସି ପଡ଼ିବା ପରେ ସେଥିରେ ଥିବା ଯବାନମାନଙ୍କୁ ଖୋଜି ବାହାର କରିବା ପାଇଁ ଅଭିଯାନ ଆରମ୍ଭ ହୋଇଛି। ସେମାନଙ୍କ ମଧ୍ୟରୁ କେତେକ ମରିଯାଇଥିବା ଆଶଙ୍କା କରାଯାଉଛି। ଦୁର୍ଘଟଣା ପରେ ସମରାଭ୍ୟାସ ସ୍ଥଗିତ ରଖାଯାଇଛି।