ଓଡ଼ିଶା365(ବ୍ୟୁରୋ): ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟର ଦୁଇ ଜଣିଆ ଯାଞ୍ଚ ଦଳ ଏୟାର ଇଣ୍ଡିଆର ଆଭ୍ୟନ୍ତରୀଣ ନିରାପତ୍ତା ଉପରେ କରାଯାଇଥିବା ଅଡିଟରେ ଅନେକ ତ୍ରୁଟି ଠାବ କରିଛନ୍ତି । ଫଳରେ ଏହି ବିମାନ ସେବା କମ୍ପାନିର ସୁରକ୍ଷାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଡିଜିସିଏ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି । ଡିଜିସିଏକୁ ଦିଆଯାଇଥିବା ଅଡିଟ୍ ରିପୋର୍ଟ ଅନୁଯାୟୀ ଏୟାର ଇଣ୍ଡିଆ ଏୟାରଲାଇନ୍ସ କ୍ୟାବିନ୍ ସର୍ଭିଲାନ୍ସ, କାର୍ଗୋ, କାର୍ଗୋ ଲୋଡିଂ ଆଦି କ୍ଷେତ୍ରରେ ନିୟମିତ ନିରାପତ୍ତା ଯାଞ୍ଚ କରିବାର ଥିଲା, ମାତ୍ର ୧୩ଟି ସେଫ୍ଟି ପଏଣ୍ଟ ଯାଞ୍ଚ ବେଳେ ଜଣାପଡ଼ିଥିଲା ଯେ ଏୟାରଲାଇନ୍ ସମସ୍ତ ୧୩ଟି ମାମଲାରେ ମିଥ୍ୟା ରିପୋର୍ଟ ପ୍ରସ୍ତୁତ କରିଛି। ଡିଜିସିଏର ଦୁଇ ଜଣିଆ ଟିମ୍ ଜୁଲାଇ ୨୫ ଓ ୨୬ ତାରିଖରେ ହରିୟାଣାର ଗୁରୁଗ୍ରାମସ୍ଥିତ ଏୟାର ଇଣ୍ଡିଆର କାର୍ଯ୍ୟାଳୟକୁ ଯାଇ ରିପୋର୍ଟରେ ଅସଙ୍ଗତି ଦର୍ଶାଇଥିଲେ। ଏହାର ଜବାବରେ ଏୟାର ଇଣ୍ଡିଆର ଜଣେ ମୁଖପାତ୍ର କହିଛନ୍ତି, ସମସ୍ତ ଏୟାରଲାଇନ୍ସ ନିୟାମକ ଏବଂ ବାହ୍ୟ ସଂସ୍ଥାଦ୍ୱାରା ନିୟମିତ ନିରାପତ୍ତା ଅଡିଟ୍ କରନ୍ତି। ଏୟାର ଇଣ୍ଡିଆ ଏହାର ଅପରେଟିଂ ପ୍ରକ୍ରିୟାକୁ ନିରନ୍ତର ମୂଲ୍ୟାଙ୍କନ ଏବଂ ବଢ଼ାଇବା ପାଇଁ ଏହି ଅଡିଟରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥାଏ ।