ଓଡ଼ିଶା365(ବ୍ୟୁରୋ): ମୋମୋ କଥା ପଡ଼ିଲେ ପାଟିରୁ ଲାଳ ଗଡୁଛି । କିଛି ବର୍ଷ ମଧ୍ୟର ମୋମୋ ପ୍ରିୟ ଖାଦ୍ୟ ପାଲଟି ଯାଇଛି। ବିଶେଷ କରି ଯୁବପିଢ଼ିଙ୍କ କ୍ଷେତ୍ରରେ ମୋମୋ ଖାଇବାର ଇଚ୍ଛା ଟିକେ ଅଧିକ। ରାସ୍ତାକଡ଼ର ମୋମୋ କଥା ତ ଛାଡ଼ନ୍ତୁ, ଅଧିକାଂଶ ସ୍ଥାନରେ ‘ୱାଓ ମୋମୋ’ର ହୋର୍ଡିଂ ଦେଖିଥିବେ କିମ୍ବା ଖାଇଥିବେ ମଧ୍ୟ। ଏହି ‘ୱାଓ ମୋମୋ’ ଚେନ୍ ପ୍ରତିଷ୍ଠାତାଙ୍କ କାହାଣୀ କିନ୍ତୁ ବଡ଼ ପ୍ରେରଣାଦାୟକ। ଦେଶରେ ମୋମୋ ବିକ୍ରି କରି ୨୦୦୦ କୋଟି ଟଙ୍କାର କମ୍ପାନି ସେ ଛିଡ଼ା କରିଛନ୍ତି। ପିଲାଙ୍କୁ ଉତ୍ତମ ଶିକ୍ଷା ଦେବା ସହ ସେମାନଙ୍କ କ୍ୟାରିୟର୍କୁ ନେଇ ବିଭିନ୍ନ ସ୍ବପ୍ନ ଦେଖିଥାନ୍ତି ବାପାମାଆ। ସମସ୍ତେ ଭାବନ୍ତି ଡାକ୍ତର, ଇଞ୍ଜିନିୟର, ବୈଜ୍ଞାନିକ କିମ୍ବା ଅନ୍ୟ ବଡ଼ ଚାକିରି କରନ୍ତୁ ତାଙ୍କ ପୁଅଝିଅ । ମାତ୍ର ଜରୁରୀ ନୁହେଁ ଯେ ବଡ଼ଲୋକ ହେବା ପାଇଁ ଏକ ଚାକିରିର ସର୍ବଦା ଆବଶ୍ୟକତା ରହିଥାଏ। ବ୍ୟବସାୟ କରି ଅନେକ ଲୋକ ଛୋଟରୁ ବଡ଼ ହୋଇଛନ୍ତି। ତେବେ ‘ୱାଓ ମୋମୋ’ର ପ୍ରତିଷ୍ଠାତା ସାଗର ଦର୍ଯ୍ୟାନି ହେଉଛନ୍ତି ଏହାର ଜ୍ବଳନ୍ତ ଉଦାହରଣ।
ସମସ୍ତଙ୍କ ପରି ସାଗର ଦର୍ଯ୍ୟାନିଙ୍କ ବାପାମାଆ ବି ଚାହୁଁଥିଲେ ତାଙ୍କ ପୁଅ ଭଲ ଚାକିରି କରୁ। ହେଲେ ତାଙ୍କ ମନରେ ଆଉ କିଛି ଚାଲୁଥିଲା। ସେ କୋଲକାତାର ସେଣ୍ଟ୍ ଜାଭିର୍ୟସ କଲେଜରେ ଗ୍ରାଜୁଏସନ୍ କରିବା ପରେ ମୋମୋ ବିକ୍ରି କରିବାକୁ ସେ ଚିନ୍ତା କରିଥିଲେ। ପ୍ରଥମେ ଏକ ଛୋଟିଆ ଷ୍ଟଲ୍ କରି ମୋମୋ ବିକ୍ରି କରୁ କରୁ ୨୦୦୮ ମସିହାରେ ସାଗର ଦର୍ଯ୍ୟାନି ‘ୱାଓ ମୋମୋ’ ପ୍ରତିଷ୍ଠା କରିଥିଲେ। ପ୍ରଥମରୁ ତ ସାଗରଙ୍କ ମୋମୋ ବିକିବା ନେଇ ତାଙ୍କ ବାପାମାଆ ସଂକୋଚ ଅନୁଭବ କରୁଥିଲେ। ମାତ୍ର ପରବର୍ତ୍ତୀ ସମୟରେ ସେ ଏହାକୁ ଏକ ଫୁଡ୍ ଚେନ୍ ଭାବେ ପ୍ରସ୍ତୁତ କରି ଏବେ ୨୦୦୦ କୋଟି ଟଙ୍କାର କମ୍ପାନି ଛିଡ଼ା କରାଇବାରେ ସମର୍ଥ ହୋଇଛନ୍ତି । ୱାଓ ମୋମୋ ବ୍ୟବସାୟ ଏକ ଛୋଟ ଦୋକାନରୁ ଆରମ୍ଭ ହୋଇ ଆଜି ସାରା ଦେଶରେ ବ୍ୟାପିଛି ଏବଂ ଏହି ଭାରତୀୟ କମ୍ପାନୀ ମ୍ୟାକଡୋନାଲ୍ଡ, କେଏଫସି, ଡୋମିନୋଜ ଭଳି ଅନ୍ତର୍ଜାତୀୟ ବ୍ରାଣ୍ଡ ସହ ବଜାରରେ ପ୍ରାଧାନ୍ୟ ବିସ୍ତାର କରୁଛି। ଦେଶର ୨୬ଟି ରାଜ୍ୟରେ ଏହାର ୬୦୦ରୁ ଅଧିକ ଆଉଟଲେଟ୍ ରହିଥିବା ବେଳେ ପ୍ରତିଦିନ ୬ ଲକ୍ଷରୁ ଅଧିକ ମୋମୋ ବିକ୍ରି ହେଉଛି।