ଓଡ଼ିଶା 365 (ବ୍ୟୁରୋ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାଷଣ ଦେବା ସମୟରେ ସୁରକ୍ଷା ପାଇଁ ଛିଡ଼ା ହୋଇଥିବା ଜଣେ ଏସପିଜି କମାଣ୍ଡୋ ଚେତା ହରାଇ ତଳେ ପଡ଼ିଯାଇଛନ୍ତି । ଯାହା ଦେଖି ନିଜ ଭାଷଣକୁ ଅଧାରୁ ବନ୍ଦ କରିଛନ୍ତି ମୋଦି । ମୋଦିଙ୍କର ଏହି ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ସୂଚନା ଅନୁସାରେ, ବାଙ୍ଗାଲୋରରେ ଇସ୍ରୋର ବୈଜ୍ଞାନିକମାନଙ୍କୁ ଭେଟିବା ପରେ ପ୍ରଧାନମନ୍ତ୍ରୀ ଦିଲ୍ଲୀ ଫେରିଥିଲେ। ଦିଲ୍ଲୀ ଫେରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ପାଲମ ବିମାନବନ୍ଦରରେ ଉପସ୍ଥିତ ଲୋକଙ୍କୁ ଦିଲ୍ଲୀରେ ହେବାକୁ ଥିବା ଜି -୨୦ ବୈଠକ ବାବଦରେ ଭାଷଣ ଦେଉଥିଲେ | ଏହି ସମୟରେ ମୋଦିଙ୍କ ସୁରକ୍ଷାରେ ନିୟୋଜିତ ଥିବା ଜଣେ ଏସପିଜି କମାଣ୍ଡୋ ବେହୋସ ହୋଇପଡିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଏହା ଦେଖି ନିଜ ଭାଷଣକୁ ଅଧାରୁ ବନ୍ଦ କରି ଚେତା ହରାଇଥିବା ଯବାନଙ୍କର ଶୀଘ୍ର ଚିକିତ୍ସା କରିବା ତାଙ୍କ ଡାକ୍ତରୀ ଦଳକୁ କହିଥିଲେ । ଏହା ପରେ ଡାକ୍ତରଙ୍କ ଦଳ ତୁରନ୍ତ କମାଣ୍ଡୋଙ୍କ ପାଖକୁ ଯାଇ ଚିକିତ୍ସା କରାଇଥିଲେ । ପ୍ରଧାନମନ୍ତ୍ରୀଙ୍କର ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।