ଓଡ଼ିଶା365(ବ୍ୟୁରୋ): ଭୁବନେଶ୍ୱର ବୟନିକାର ମୁଖ୍ୟ କାର୍ଯ୍ୟାଳୟରେ ବୁଣାକାର ପରିବାରର ଡାକ୍ତର ପୁଅକୁ ସମ୍ବର୍ଦ୍ଧନା। ହସ୍ତତନ୍ତ ବିଭାଗର ଉପଦେଷ୍ଟା, ବୌଦ୍ଧ ଜିଲ୍ଲା ବିଜଦ ପ୍ରଭାରୀ ସୌଭାଗ୍ୟ ନାୟକ, ବୟନିକାର ସଭାପତି ପ୍ରକାଶ ଚନ୍ଦ୍ର ମେହେର ଏବଂ ବୟନିକାର ଅଧିକାରୀଙ୍କ ଉପସ୍ଥିତିରେ ଯୁବ ଡାକ୍ତର ଶତୃଘ୍ନ ପରମାଣିକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ବୁଣାକାର ପରିବାରରେ ଜନ୍ମଗ୍ରହଣ କରିଥିବା ଶତୃଘ୍ନ କୋରାପୁଟ ଜିଲ୍ଲାର ନାରାୟଣପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟ ଅଧିକାରୀ ଭାବେ ଯୋଗଦେଇଛନ୍ତି। ଯୁବ ଡାକ୍ତରଙ୍କ ପିତା ଜଗବନ୍ଧୁ ଜଣେ ବୁଣାକାର, ତାଙ୍କ ମାଆ ଜୟନ୍ତୀ ଦେବୀ ବୟନିକାର ଅନ୍ଯତମ ନିର୍ଦ୍ଦେଶିକା। ଯାଜପୁର ଜିଲ୍ଲାର ବୋଦୁଅ ଗାଁରେ ଡାକ୍ତର ଶତୃଘ୍ନଙ୍କ ଜନ୍ମ। ବହୁ ବାଧାବିଘ୍ନ ସତ୍ୱେ ସେ ଶିକ୍ଷା ସମାପ୍ତ କରି ସେ ଆୟୁଷ ଡାକ୍ତର ହେବାରେ ସଫଳ ହୋଇଛନ୍ତି। ସର୍ବନିମ୍ନ ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ଲୋକଙ୍କୁ ଚିକିତ୍ସା ଯୋଗାଇଦେବାକୁ ସେ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି।