ଓଡ଼ିଶା 365 (ବ୍ୟୁରୋ) : ଯୁକ୍ତ ଦୁଇ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କଲା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) । ପରୀକ୍ଷା ପରିଚାଳନା ପାଇଁ ଶିକ୍ଷକଙ୍କ ତାଲିକା ମାଗିଛି । ପରୀକ୍ଷା ନିୟନ୍ତ୍ରକ ଏନେଇ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ କମ୍ପୋଜିଟ୍ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି । ଆସନ୍ତା ୧ରୁ ୧୫ ତାରିଖ ମଧ୍ୟରେ ଅନଲାଇନ୍ ମାଧ୍ୟମରେ ନିଜ ଶିକ୍ଷାନୁଷ୍ଠାନରେ ଥିବା ଶିକ୍ଷକଙ୍କ ତାଲିକା ବା ଷ୍ଟାଫ୍ ଇନ୍ ପୋଜିସନ୍ (ଏସ୍ଆଇପି) ତାଲିକା ଦେବାକୁ ଚିଠିରେ ଉଲ୍ଲେଖ ରହିଛି ।ତେବେ ବାର୍ଷିକ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ୨୦୨୪ ପରୀକ୍ଷାରେ ନିୟୋଜିତ ହେବାକୁ ଥିବା ପରୀକ୍ଷକ ଅତି କମ୍ରେ ଜୁନିୟର ଅଧ୍ୟାପକ ରାଙ୍କରୁ କମ ହୋଇନଥିବା ଆବଶ୍ୟକ ବୋଲି ମଧ୍ୟ ଚିଠିରେ ଦର୍ଶାଯାଇଛି । ସେହିପରି ସାମ୍ସ ଇ-ସ୍ପେସ୍ରେ ଥିବା ନିର୍ଦ୍ଧିଷ୍ଟ ଫର୍ମାଟ୍ରେ ଏହି ତାଲିକା ଦେବାକୁ କୁହାଯାଇଛି ।
ଅନ୍ଲାଇନ୍ରେ ଫର୍ମପୂରଣ କରିବା ବେଳେ ଉକ୍ତ ଶିକ୍ଷକଙ୍କ ମୋବାଇଲ ନମ୍ବର,ହ୍ୱାଟ୍ସଆପ୍ ନମ୍ବର ଏବଂ ଇ-ମେଲ୍ ଆଇଡି ବାଧ୍ୟତାମୂଳକ ଭାବେ ଦେବାକୁ କୁହାଯାଇଛି । ଯଦି ସଠିକ୍ ସମୟରେ ଏସ୍ଆଇପି ଡାଟା ଦିଆ ନଯାଏ, ତାହେଲେ ଉକ୍ତ ଶିକ୍ଷାନୁଷ୍ଠାନକୁ ଆର୍ଡମିଟ୍ କାର୍ଡ ଦିଆଯିବ ନାହିଁ ବୋଲି ସ୍ପଷ୍ଟ ଭାବେ ଶୁଣାଇ ଦିଆଯାଇଛି ।
ଏସ୍ଆଇପି ଡାଟାର ହାର୍ଡକପି ସିଏଚ୍ଏସ୍ଇ କାର୍ଯ୍ୟାଳୟକୁ ପଠାଇବାର ଆବଶ୍ୟକତା ନଥିବା ଚିଠିରେ ଉଲ୍ଲେଖ ରହିଛି ।
ଯୁକ୍ତ ଦୁଇ ଦ୍ବିତୀୟ ବର୍ଷ ଥିଓରୀ ପରୀକ୍ଷା ଫେବୃଆରୀ ୧୪ରୁ ମାର୍ଚ୍ଚ ୧୩ ମଧ୍ୟରେ ଶେଷ ହେବ । ଏପ୍ରିଲ ଶେଷ ସପ୍ତାହ କିମ୍ବା ମେ’ ମାସ ପ୍ରଥମ ସପ୍ତାହରେ ପରୀକ୍ଷା ଫଳ ପ୍ରକାଶ ପାଇବ । ସେହିପରି ଆସନ୍ତା ଜାନୁୟାରୀ ପ୍ରଥମ ସପ୍ତାହରୁ ପ୍ରାକ୍ଟିକାଲ ପରୀକ୍ଷା କରାଯିବ । ଥିଓରୀ ପରୀକ୍ଷାର ଗୋଟିଏ ମାସ ପୂର୍ବରୁ ୨୦୨୪ ବାର୍ଷିକ ଉଚ୍ଚ ମାଧ୍ୟମିକ ପରୀକ୍ଷା ନେଇ ବିଜ୍ଞପ୍ତି ପ୍ରକାଶ ପାଇବ । ଦ୍ୱିତୀୟ ବର୍ଷ ରେଗୁଲାର ଛାତ୍ରଛାତ୍ରୀଙ୍କ ଅନଲାଇନ୍ ଫର୍ମ ପୂରଣ ଆସନ୍ତା ନଭେମ୍ବର ୧୦ରୁ ଆରମ୍ଭ ହୋଇ ୨୫ରେ ଶେଷ ହେବ । ଏକ୍ସ-ରେଗୁଲାର ପିଲା ଆସନ୍ତା ସେପ୍ଟେମ୍ବର ୧୫ରୁ ୩୦ ମଧ୍ୟରେ ଅନଲାଇନ ଫର୍ମ ପୂରଣ କରିବେ ବୋଲି କ୍ୟାଲେଣ୍ଡରରେ ଧାର୍ଯ୍ୟ କରାଯାଇଛି ।