ଓଡ଼ିଶା 365 (ବ୍ୟୁରୋ): ନୂଆ ନିଯୁକ୍ତି ଦାବିରେ କଳାବ୍ୟାଚ୍ ପିନ୍ଧି ଅଲ ଓଡ଼ିଶା ଆୟୁଷ ଛାତ୍ର ସଂଘ ପକ୍ଷରୁ ଶାନ୍ତିପୂର୍ଣ୍ଣ ବିକ୍ଷୋଭ। ଅଲ ଓଡ଼ିଶା ଆୟୁଷ ଛାତ୍ର ସଂଘ ପକ୍ଷରୁ ହୋମିଓପ୍ୟାଥିକ ମହାବିଦ୍ୟାଳୟ ଗୁଡ଼ିକରେ ୭ ଦିନିଆ କଳାବ୍ୟାଚ୍ ପରିଧାନ କରି ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନର ଆଜି ଜାରି ରହିଛି ଦ୍ୱିତୀୟ ଦିନ। ଏହାରି ଭିତରେ ବ୍ରହ୍ମପୁର ବିଜୁ ପଟ୍ଟନାୟକ ହୋମିଓପ୍ୟାଥିକ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ମଧ୍ୟ ଶତାଧିକ ଛାତ୍ର ଛାତ୍ରୀ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରିବା ସହ କଳାବ୍ୟାଜ୍ ପରିଧାନ କରିଥିଲେ । ଦାବି ଅନୁଯାୟୀ ଓଡ଼ିଶାରେ ୨୦୦୨ ମସିହା ଠାରୁ ଏଯାବତ୍ ଆୟୁଷ ଚିକିତ୍ସା କ୍ଷେତ୍ରରେ କୌଣସି ବିକାଶ ମୂଳକ କାର୍ଯ୍ୟ ତଥା ନୂତନ ଜଣେ ହେଲେ ପଦାଧିକାରୀଙ୍କୁ ନିଯୁକ୍ତି ସୁଯୋଗ ମିଳିପାରି ନାହିଁ । ଦୀର୍ଘ ୨୧ ବର୍ଷ ଧରି ଏଭଳି ସମସ୍ୟା ଲାଗି ରହିଥିବା ଯୋଗୁଁ ଶତାଧିକ ଛାତ୍ର ଛାତ୍ରୀ ନିଜର ପାଠ ପଢା ଶେଷ କରି ମଧ୍ୟ ଚାକିରି ଖଣ୍ଡିଏ ପାଇ ନାହାନ୍ତି । ଏହାସହ ଡାକ୍ତରୀ ବିଭାଗୀୟ ସମସ୍ତ ନିଯୁକ୍ତି ନିଟ୍ ପ୍ରବେଶିକା ପରୀକ୍ଷାରୁ ଉତୀର୍ଣ୍ଣ ହୋଇ ମଧ୍ୟ ଛାତ୍ରଛାତ୍ରୀ ଘରେ ବସିଛନ୍ତି ।
ହୋମିଓପ୍ୟାଥିକ ଚିକିତ୍ସା ସ୍ୱଳ୍ପ ମୂଲ୍ୟରେ ରୋଗୀଙ୍କ ସେବା କରି ଗରିବ ଲୋକଙ୍କ ପାଖରେ ଆଦୃତ ହୋଇ ମଧ୍ୟ ସରକାରଙ୍କ ଦୃଷ୍ଟିକୋଣକୁ ଆସି ପାରୁନାହିଁ କି ବ୍ୟବସ୍ଥାରେ କିଛି ଉନ୍ନତି ହୋଇପାରୁନି । ଯାହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି ଅଲ୍ ଓଡିଶା ଆୟୁଷ ସଂଘ । ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେବା ସହ ହୋମିଓପ୍ୟାଥିକ ଚିକିତ୍ସାଳୟରେ ଆୟୁଷ ଡ଼ାକ୍ତର ନିଯୁକ୍ତି ପ୍ରଦାନ କରିବାକୁ ବହୁବାର ନିବେଦନ କରିଛି ସଂଘ । ଏନେଇ ବହୁବାର ସରକାର ଓ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ତେବେ ଆସନ୍ତା ଦିନରେ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେବା ସହ ଆୟୁଷ ଡ଼ାକ୍ତର ଏନ୍.ଏ.ଏମ୍ ଆବଶ୍ୟକତା ଆଖି ଆଗରେ ରଖି ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ସହଯୋଗ କରିବାକୁ ଦାବି କରିବା ସହ ୭ ଦିନିଆ ମହଲତ ମାଗିଛନ୍ତି ଡାକ୍ତରୀ ଛାତ୍ର ଛାତ୍ରୀ ।