ଓଡ଼ିଶା 365 (ବ୍ୟୁରୋ) :ତାମିଲନାଡୁର ମଦୁରାଇ ରେଳ ଷ୍ଟେସନ ନିକଟରେ ବଡ ଅଘଟଣ । ଷ୍ଟେସନରେ ଛିଡା ହୋଇଥିବା ଗୋଟିଏ ଟୁରିଷ୍ଟ ଟ୍ରେନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଦୁଇଟି ବଗିରେ ଭୀଷଣ ନିଆଁ ଲାଗିବା ଯୋଗୁଁ ୧୦ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି ଓ ୨୦ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ନିକଟସ୍ଥ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଟ୍ରେନ ଲକ୍ଷ୍ନୌରୁ ରାମେଶ୍ବରମ ଯାତ୍ରା କରୁଥିଲା । ସମସ୍ତ ମୃତକ ଉତ୍ତର ପ୍ରଦେଶର । ଟ୍ରେନ ମଦୁରାଇ ୟାର୍ଡ ଜଙ୍କସନ ପାଖରେ ଅଟକି ଥିବାବେଳେ ସକାଳ ପ୍ରାୟ ୫ଟା ୧୫ ମିନିଟ୍ ବେଳେ ଏଥିରେ ଅଚାନକ ନିଆଁ ଲାଗି ଯାଇଥିବା ସୂଚନା ମିଳିଛି ।ରେଳଯାତ୍ରା ସମୟରେ ଗ୍ୟାସ ସିଲିଣ୍ଡର ନେବା ଅବୈଧ ହୋଇଥିବାବେଳେ ଏହା ନେବା ଦଣ୍ଡନୀୟ ଅପରାଧ । ତେବେ ଗ୍ୟାସ ଭଳି ଅନେକ ସାମଗ୍ରୀ ରହିଛି ଯାହାକି ଯାତ୍ରା ସମୟରେ ନେବା ଦଣ୍ଡନୀୟ ଅପରାଧ ବୋଲି କୁହାଯାଇଛି ।
ଏସବୁ ସାମଗ୍ରୀ ଗୁଡ଼ିକ ହେଲା ଗ୍ୟାସ ସିଲିଣ୍ଡର, ଷ୍ଟୋଭ୍, ବାଣ, ଏସିଡ୍, ଚମଡ଼ା, ଗ୍ରୀସ୍, ଦୁର୍ଗନ୍ଧଯୁକ୍ତ ସାମଗ୍ରୀ, ନିଶାଯୁକ୍ତ ସାମଗ୍ରୀ କିମ୍ବା କୌଣସି ଜ୍ବଳନ୍ତ ରାସାୟନିକ ପଦାର୍ଥ । ଏପରିକି ୨୦ କିଲୋ ପର୍ଯ୍ୟନ୍ତ ଘିଅ ନେଇପାରିବେ ।
ଟ୍ରେନରେ ଯାତ୍ରା କରୁଥିବା ସମୟରେ ନିଷିଦ୍ଧ ସାମଗ୍ରୀ ନେବା ଆଇନତଃ ଅପରାଧ । ଯଦି କେହି ଏସବୁ ନେବା ସମୟରେ ଧରାପଡ଼ନ୍ତି ତାହେଲେ ରେଳ ନିୟମ ଧାରା ୧୬୪ ଅନୁଯାୟୀ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏପରିକି ଭାରି ଜରିମାନା ସହ ୩ ବର୍ଷ ଜେଲ ଦଣ୍ଡ ହୋଇପାରେ ।