ଓଡ଼ିଶା 365 (ବ୍ୟୁରୋ): ଫାଇନାଲରେ ବିଶ୍ବ ଦେଖିବ ଓଡ଼ିଆ ପୁଅଙ୍କ ଚମକ। ହଙ୍ଗେରୀର ବୁଦାପେଷ୍ଟରେ ଖେଳାଯାଉଥିବା ଓ୍ବାର୍ଲ୍ଡ ଆଥଲେଟିକ୍ସ ଚାମ୍ପିୟନସିପ୍ର ଜାଭେଲିନ ଥ୍ରୋ ଇଭେଣ୍ଟରେ ଫାଇନାଲରେ ପ୍ରବେଶ କରିଛନ୍ତି ଓଡ଼ିଆ ପୁଅ କିଶୋର ଜେନା। ବିଶ୍ବ ପ୍ରତିଯୋଗିତାରୁ ଚମତ୍କାର ଢ଼ଙ୍ଗରେ ଅନ୍ତର୍ଜାତୀୟରେ ପଦାର୍ପଣ କରିଛନ୍ତି କିଶୋର । ପୁରୀବ୍ରହ୍ମଗିରି କୋଠସାହିରୁ ହଙ୍ଗେରୀର ବୁଦାପେଷ୍ଟ୍ ଯାଏ ଲମ୍ବିଛି ତାଙ୍କ ସଫଳତାର ଯାତ୍ରା। ଓ୍ବାର୍ଲ୍ଡ ଆଥଲେଟିକ୍ସ ଚାମ୍ପିୟନସିପ୍ ଭାଗ ନେଇ ଫାଇନାଲରେ ପ୍ରବେଶ କରିବାରେ କିଶୋର ହୋଇଛନ୍ତି ପ୍ରଥମ ଓଡ଼ିଆ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଶୋରଙ୍କ ସମେତ ନୀରଜ ଚୋପ୍ରା ,ଡିପି ମନୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି। କିଶୋର ଚାଷୀ ପରିବାରରୁ ଆସିଥିବାବେଳେ, ୬ ଭଉଣୀଙ୍କ ପରେ ସେ ପରିବାରର ଏକମାତ୍ର ପୁଅ ଥିଲେ, କିନ୍ତୁ ଖେଳାଖେଳି କରୁଥିବା ବେଳେ କେବେ ବିରୋଧର ସମ୍ମୁଖୀନ ହୋଇନଥିଲେ। ଆଜି ମୁଁ ଖେଳରେ ଯେଉଁକିଛି ସଫଳତା ପାଇଛି ସେସବୁ ପରିବାରର ଶ୍ରେୟ ବୋଲି କୁହନ୍ତି ସେ । ମୁଁ ଏତେ ବାଟ ଆସିବି ବୋଲି ଭାବିନଥିଲି। ମୋ ପରିବାର ସହଯୋଗ ଓଡିଶାବାସୀଙ୍କ ଭଲପାଇବା ମୋତେ ଏହି ଜାଗାରେ ପହଞ୍ଚାଇଛି।
ଜାଭଲିନ୍ ଥ୍ରୋ କ୍ବାଲିଫାଏ ରାଉଣ୍ଡରେ ୮୦.୫୫ ର ବେଷ୍ଟ ଥ୍ରୋ ସହ କିଶୋର ଫାଇନାଲରେ ସ୍ଥାନ ପକ୍କା କରି ଇତିହାସ ରଚିଛନ୍ତି । ଫାଇନାଲରେ ଟପ୍ ୧୨ ଜଣଙ୍କ ମଧ୍ୟରେ ୯ମ ସ୍ଥାନରେ ରହିଛନ୍ତି । ନିକଟରେ ଶ୍ରୀଲଙ୍କା ଚାମ୍ପିଅନସିପ୍ରେ ୮୪.୩୮ ମିଟର ଜାଭଲିନ୍ ଫିଙ୍ଗି ସ୍ୱର୍ଣ୍ଣ ପଦକ ଜିତିଥିଲେ। ପୂର୍ବରୁ କିଶୋର ଭୁବନେଶ୍ବରରେ ଅନୁଷ୍ଠିତ ଜାତୀୟ ସିନିୟର ଆଥଲେଟିକ୍ସ ଚାମ୍ପିୟନସିପ୍ରେ ସ୍ବର୍ଣ୍ଣ ପଦକ ଜିତି ଏସୀୟ କ୍ରୀଡ଼ାଲାଗି ଯୋଗ୍ୟତା ଅର୍ଜନ କରିଥିଲେ। ଏହାବାଦ ଲେବନାନ ଓ ଶ୍ରୀଲଙ୍କାରେ ଅନୁଷ୍ଠିତ ଆଥଲେଟିକ୍ସ ଚାମ୍ପିୟନସିପରେ ଭାଗ ନେଇ ଦୁଇ ଦୁଇଟି ସ୍ୱର୍ଣ୍ଣ ପଦକ କବଜା କରିଥିଲେ। କିଶୋରଙ୍କ ଶ୍ରେଷ୍ଠ ପ୍ରଦର୍ଶନ ୮୪.୩୮ ମିଟର ରହିଛି ।
କିଶୋରଙ୍କ ସହିତ ଅନ୍ୟ ଦୁଇ ଭାରତୀୟ ଅଲମ୍ପିକ୍ ସ୍ବର୍ଣ୍ଣ ବିଜେତା ନୀରଜ ଚୋପ୍ରା ୮୮.୭୭ ମିଟର ଦୂରତାକୁ ଜାଭେଲିନ ଫିଙ୍ଗିଥିବାବେଳେ ଡିପି ମନୁ ୮୧.୩୧ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି। ଜାଭଲିନ୍ ଥ୍ରୋର ଫାଇନାଲ ରବିବାର ଖେଳାଯିବ । କିଶୋରଙ୍କ ସହ ଭାରତର ୩ ଜଣ ଖେଳାଳି ଫାଇନାଲ ରାଉଣ୍ଡରେ ପଦକ ପାଇଁ ମଇଦାନରେ ଦେଖିବାକୁ ମିଳିବ। ରାଜ୍ୟ ଓ ଦେଶ ପାଇଁ ଫାଇନାଲରେ ପଦକ ଜିତିପାରିଲେ ଏହା ସବୁଠାରୁ ବଡ଼ ଉପଲବ୍ଧି ହେବ ବୋଲି କହିଛନ୍ତି। ଫାଇନାଲରେ କିଶୋରଙ୍କ କମାଲ କରିବାସହ ସ୍ୱର୍ଣ୍ଣ ପଦକ ଜିତନ୍ତୁ ବୋଲି ଆଶା ରଖିଛନ୍ତି ଓଡିଶାବାସୀ।