ଓଡ଼ିଶା 365 (ବ୍ୟୁରୋ): ହରଭଙ୍ଗା ଥାନାର ପୂର୍ବତନ ଆଇଆଇସି ପୁଷ୍ପଲତା ରାଉତରାୟଙ୍କୁ ନିଲମ୍ବନ କଲେ ପୋଲିସ୍ ଡିଜି। ଲକ୍ଷେ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ ଟିମ୍ । ବାଲି ବୋଝେଇ ଟ୍ରକ ଛାଡ଼ିବାକୁ ଗାଡ଼ି ମାଲିକଙ୍କ ଠାରୁ ଗତ ଜୁଲାଇ ୨୦ ରେ ଏକ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ ଆଇଆଇସି । ନିଲମ୍ବନ ସମୟରେ ଦକ୍ଷିଣାଞ୍ଚଳ ରେଞ୍ଜ ଆଇଜି କାର୍ଯ୍ୟାଳୟରେ ରହିବେ ଆଇଆଇସି ।
ସୂଚନାଯୋଗ୍ୟ ଯେ, ଗତ ମାସ ତଳେ ମହାନଦୀ ସୁରୁଣ୍ଡି ବାଲି କ୍ୱାରୀରୁ ଫୁଲବାଣୀ ବାଲି ଚାଲାଣ କରୁଥିବା ଅଭିଯୋଗରେ ୩ଟି ହାଇୱାକୁ ଜବତ କରିଥିଲେ IIC ପୁଷ୍ପଲତା ରାଉତରାୟ । ପରବର୍ତ୍ତୀ ସମୟରେ ଉକ୍ତ ଜବତ ହାଇୱା ଗୁଡିକୁ ରିଲିଜ କରିବା ପାଇଁ ବାଲି କ୍ୱାରୀ ମାଲିକ ଶରତ ବେହେରାଙ୍କୁ କୁଆଡେ ଲକ୍ଷାଧିକ ଟଙ୍କା ଲାଞ୍ଚ ମାଗିଥିଲେ । ତେବେ କୁହାବୁଲା କରି ଆପୋଷ ବୁଝାମଣାରେ ତାହା ଏକ ଲକ୍ଷ ଟଙ୍କାରେ ଛିଣ୍ଡିଥିଲା । ଏ ନେଇ ଶରତ ବ୍ରହ୍ମପୁର ଭିଜିଲାନ୍ସ ଏସପିଙ୍କ ନିକଟରେ ଅଭିଯୋଗ କରିଥିଲେ । ଭିଜିଲାନ୍ସ ବିଭାଗ ଯୋଜନା ମୁତାବକ ଶରତ ଏକ ଲଫପା ଭିତରେ ରାସାୟନିକ ମିଶ୍ରିତ ୧ ଲକ୍ଷ ଟଙ୍କା ନେଇ ହରଭଙ୍ଗା ଥାନାରେ IICଙ୍କୁ ଦେଇଥିଲେ । ଏହି ସମୟରେ ପୂର୍ବ ଯୋଜନା ଅନୁସାରେ ଛପି ରହିଥିବା ଭିଜିଲାନ୍ସ ପୋଲିସ ତାଙ୍କୁ ମାଡିବସିଥିଲେ ।