ଓଡ଼ିଶା 365 (ବ୍ୟୁରୋ) : ଆଦାନୀ-ହିଣ୍ଡେନବର୍ଗ ମାମଲାରେ ଶୁକ୍ରବାର ସେବି ସୁପ୍ରିମକୋର୍ଟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିଛି । ତେବେ ରିପୋର୍ଟରେ ସେବି କହିଛି ଯେ, ଏହି ମାମଲାରେ ମୋଟ ୨୪ଟି ଯାଞ୍ଚ ମଧ୍ୟରୁ ୨୨ଟିର ଯାଞ୍ଚର ଶେଷ ହୋଇସାରିଛି । ବାକି ଥିବା ୨ ଟି ଯାଞ୍ଚ ପାଇଁ ବାହାର ଏଜେନ୍ସିଠାରୁ ସୂଚନାକୁ ଅପେକ୍ଷା କରାଯାଇଛି । ତେବେ ବାକି ଥିବା ଅନ୍ୟ ଦୁଇଟି ଯାଞ୍ଚରେ ଆଦାନୀ କମ୍ପାନୀର ୧୩ ଟି ଶାଖା ସାମିଲ ଅଛି । ମାର୍କେଟ ରେଗୁଲେଟରର କହିବା ଅନୁସାରେ ଚୂଡ଼ାନ୍ତ ତଦନ୍ତ ପରେ ସଠିକ ଭାବରେ ଆଗକୁ ବଢ଼ିହେବ। ସେବି ଏଫ୍ପିଆଇଠାରୁ ସମ୍ପୂର୍ଣ୍ଣ ବିବରଣୀ ମାଗିଛି, ଯେଉଁଥିରେ ୫ଟି ଦେଶରୁ ଏଫ୍ପିଆଇର ସମ୍ପୂର୍ଣ୍ଣ ବିବରଣୀ ମଗାଯାଇଛି ।
ସୂଚନା ଅନୁସାରେ ଆଦାନୀ ଗ୍ରୁପ ଆରମ୍ଭରୁ ହିଁ ହିଣ୍ଡେନବର୍ଗର ଅଭିଯୋଗକୁ ଖଣ୍ଡନ କରିଆସୁଛି । ସେପଟେ ସେବି କହିଛି ଯେ, ଏହି ବିଦେଶୀ ନିବେଶକମାନଙ୍କ ମଧ୍ୟରୁ ଅନେକ ସଂସ୍ଥା ଟ୍ୟାକ୍ସ ହେବେନ ମଧ୍ୟରେ ଆସୁଛନ୍ତି । ଏପରି ପରିସ୍ଥିତିରେ ଏଫ୍ପିଆଇର ଇକୋନୋମିକ୍ ଇଣ୍ଟ୍ରେଷ୍ଟ୍ ସ୍ଥାପିତ କରିବା ଏକ ବଡ଼ ଆହ୍ବାନ ଅଟେ । ଏହା ପୂର୍ବରୁ ସୁପ୍ରିମକୋର୍ଟ ସେବିକୁ ଆଦାନୀ-ହିଣ୍ଡେନବର୍ଗ ମାମଲାର ତଦନ୍ତ କରି ଅଗଷ୍ଟ ସୁଦ୍ଧା ନିଜ ରିପୋର୍ଟ ଦାଖଲ କରିବା ପାଇଁ ୧୫ ଦିନର ସମୟ ଦେଇଥିଲେ ।
ଦ୍ବିତୀୟ ଥର ପାଇଁ ସେବି ଏହି ମମାଲାର ଯାଞ୍ଚ କରିବା ପାଇଁ ସୁପ୍ରିମକୋର୍ଟକୁ ଅତିରିକ୍ତ ସମୟ ମାଗିଛି ।
ତେବେ ସେବି ସୁପ୍ରିମକୋର୍ଟକୁ କହିଛି ଯେ, ଆଦାନୀ ଗ୍ରୁପର ୨୪ଟି ଟ୍ରାଞ୍ଜାକ୍ସନ୍କୁ ଯାଞ୍ଚ କରୁଛି, ଯେଉଁଥିରୁ ଏହାର ୧୭ଟି ଯାଞ୍ଚ ଶେଷ ହୋଇ ସାରିଛି । ଏହାସହ ଏହି ମାମଲାରେ ଅନ୍ୟ ରେଗୁଲେଟର ଏବଂ ଅନ୍ୟ ଦେଶରୁ ମଧ୍ୟ ସୂଚନା ମଗାଯାଇଛି । ତେବେ ଏହାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୯ରେ ହେବ । ଗତ ଜାନୁଆରୀ ୨୪ ତାରିଖରେ ଆଦାନୀ ଗ୍ରୁପ ବିରୋଧରେ ହିଣ୍ଡେନବର୍ଗ ପ୍ରତିଷ୍ଠାତା ନାଥନ ଏଣ୍ଡକସେନ ଷ୍ଟକ୍ ବଜାରରେ ହେରଫେର ନେଇ ଅଭିଯୋଗ ଆଣିଥିଲେ । ଏହାପରେ ଆଦାନୀ ଗ୍ରୁପ ଦୋହଲି ଯାଇଥିବା ବେଳେ ସାରା ଦେଶରେ ଚହଳ ପଡ଼ିଥିଲା। ଅଭିଯୋଗ ଆସିବା ପରେ ଆଦାନୀ ଗ୍ରୁପକୁ ବହୁ କ୍ଷତି ସହିବାକୁ ପଡ଼ିଥିଲା । ଏପରିକି କମ୍ପାନୀ କ୍ରମାଗତ ଭାବେ ସେୟାର ହ୍ରାସ ପାଇବା ପରେ ଗ୍ରୁପ ମାଲିକ ତଥା ବିଶିଷ୍ଟ ଶିଲ୍ପପତି ଗୌତମ ଆଦାନୀ ବିଶ୍ବ ଧନୀ ତାଲିକାରେ ଶୀର୍ଷରୁ ବହୁ ତଳକୁ ଖସି ଆସିଥିଲେ ।