ଓଡ଼ିଶା 365 (ବ୍ୟୁରୋ): ଦେହ ଥିଲା ଦକ୍ଷିଣ ଆଫ୍ରିକାରେ ମନ ଥିଲା ଭାରତରେ । ଅଗଷ୍ଟ ୨୩ ତାରିଖର ପ୍ରତିଟି ମୁହୂର୍ତ୍ତ କେବଳ ଚନ୍ଦ୍ରଯାନ ପାଇଁ ଚିନ୍ତିତ ଥିଲା ଭାରତ । ଆଉ ଯେତେବେଳେ ଚନ୍ଦ୍ରଯାନ ଚନ୍ଦ୍ର ମାଟିରେ ପାଦ ଥାପିଲା, ବିଦେଶରେ ଭାରତର ଏଭଳି ସଫଳତାକୁ ଅନୁଭବ କରିଥିଲେ ସେ । ସାରା ବିଶ୍ବ ଭାରତର ବାଃ ବାଃ କରିବା ସେ ଶୁଣିଛନ୍ତି । ଦେଶକୁ ଫେରିବା ମାତ୍ରେ ସଫଳ ମିଶନ ପଛରେ ଥିବା ମହାନାୟକଙ୍କୁ ଭେଟିବେ ବୋଲି କଥା ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦି । ସେ ଗ୍ରୀସରୁ ଫେରିବା ମାତ୍ରେ ସିଧାସଳଖ ବେଙ୍ଗାଲୁରୁ ସ୍ଥିତ ଇସ୍ରୋର ମୁଖ୍ୟାଳୟରେ ପହଞ୍ଚି ବୈଜ୍ଞାନିକଙ୍କୁ ଭେଟିଥିଲେ । ‘ଜୟ ବିଜ୍ଞାନ, ଜୟ ଅନୁସନ୍ଧାନ’ ର ନାରା ଦେଇଥିଲେ ମୋଦି ଏବଂ ଚନ୍ଦ୍ରାୟନ ୩ ପାଇଁ ସେମାନଙ୍କର ପରିଶ୍ରମ ଓ ଧର୍ଯ୍ୟକୁ ପ୍ରଶଂସା କରିବା ସହ ହାତ ଯୋଡି ପ୍ରଣାମ ମଧ୍ୟ କରିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କ ଆଖିରେ ଦେଖିବାକୁ ମିଳିଥିଲା ବିଜୟର ଲୁହ ।
କଥା ଦେଇ କଥା ରଖିଛନ୍ତି ମୋଦି । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ‘ଚନ୍ଦ୍ରଯାନ-୩’ର ଡେମୋ ଦେଖାଇଥିଲେ ଇସ୍ରୋ ମୁଖ୍ୟ ଏସ. ସୋମନାଥ । ଅଗଷ୍ଟ ୨୩ ତାରିଖକୁ ଜାତୀୟ ମହାକାଶ ଦିବସ ଭାବେ ପାଳନ କରାଯିବା ନେଇ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ। ଏହା ସହ ଚନ୍ଦ୍ରଯାନ-୩ ଲ୍ୟାଣ୍ଡିଂ ପଏଣ୍ଟର ମଧ୍ୟ କରାଯାଇଛି ନାମକରଣ । ବିକ୍ରମ ଲ୍ୟାଣ୍ଡର ଅବତରଣ କରିଥିବା ସ୍ଥାନର ନାଁ ଶିବଶକ୍ତି ରଖାଯାଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଶିବଙ୍କଠାରେ ମାନବ କଲ୍ୟାଣର ସଂକଳ୍ପ ନିହିତ । ଶକ୍ତିରେ ସଂକଳ୍ପ ପୂରା କରିବାର ସାମର୍ଥ୍ୟ ରହିଥାଏ । ସେହିପରି ଚନ୍ଦ୍ରଯାନ-୨ର ପାଦ ଚିହ୍ନର ନାଁ ତ୍ରିରଙ୍ଗା ରଖାଯିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଆଜି ସାରା ବିଶ୍ବ କରୁଛି ଭାରତର ଜୟ ଜୟ କାର।