ଓଡ଼ିଶା 365 (ବ୍ୟୁରୋ) : ଶୁକ୍ରବାର ବେଙ୍ଗାଲୁରୁରେ ପହଂଚି ‘ଇସ୍ରୋ’ ବୈଜ୍ଞାନିକମାନଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚନ୍ଦ୍ରଯାନର ସଫଳତା ପାଇଁ ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୋଦି । ବଡ଼କଥା ହେଉଛି, ‘ଚନ୍ଦ୍ରଯାନ-୩’ ଯେଉଁ ସ୍ଥାନରେ ଅବତରଣ କରିଛି ସେ ସ୍ଥାନର ନାଁ ‘ଶିବଶକ୍ତି’ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ସେହିପରି ‘ଚନ୍ଦ୍ରଯାନ-୨’ ଚନ୍ଦ୍ରପୃଷ୍ଠର ଯେଉଁସ୍ଥାନରେ ‘କ୍ରାସ୍-ଲ୍ୟାଣ୍ଡିଙ୍ଗ୍ କରିଥିଲା ସେ ସ୍ଥାନର ନାଁ ‘ତିରଙ୍ଗା’ ହେବ। ଏହା ହେବ ଚନ୍ଦ୍ର ଅଭିଯାନ ପାଇଁ ଭାରତ କରିଥିବା ସମସ୍ତ ପ୍ରଚେଷ୍ଟାର ପ୍ରେରଣା ବୋଲି ମୋଦି କହିଛନ୍ତି ।