ଓଡ଼ିଶା 365 (ବ୍ୟୁରୋ): ‘ପାଣ୍ଡିଆନ ପ୍ରୋଜେକ୍ଟ’ ପାଇଁ ତାମିଲ ମହିଳା କରୁଛନ୍ତି ଜମି ହଡପ। ସରକାରୀ ଅନାବାଦୀ ଜମି ଜବରଦଖଲ କରୁଛନ୍ତି, ଛୋଟ ଜଙ୍ଗଲ ଜମି, ଗରିବ, ଅସହାୟଙ୍କ ଜମିକୁ ବି ଛାଡ଼ୁନାହାନ୍ତି । ଏହି ଜମିକୁ ନିଜ କବ୍ଜାକୁ ନେଇ ତାରବାଡ ଘେରାଇ ଦେଉଛନ୍ତି । ଖାଲି ସେତିକି ନୁହେଁ, ତାରବାଡ ଘେରାଇ ରାସ୍ତା ଅବରୋଧ ବି କରୁଛନ୍ତି । ଫଳରେ ଘରୋଇ ଜମି ମାଲିକମାନେ ନିଜ ଜମିକୁ ଯାଉପାରୁନାହାନ୍ତି । ଏପରି ଅବରୋଧ ପଛରେ ଉଦ୍ଦେଶ୍ୟ, ଏହି ଜମିମାଲିକମାନେ ତାଙ୍କ ଜମି ମଧ୍ୟ ବିକିଦେବେ । ଏମିତି ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଅପରାଜିତା ଏନେଇ ପାଣ୍ଡିଆନଙ୍କ ଉପରେ ବର୍ଷିଛନ୍ତି। ସେ କହିବା କଥା ବିଭିନ୍ନ ବ୍ୟକ୍ତିଙ୍କଠାରୁ ଅଭିଯୋଗ ପାଇବା ପରେ ସେ ଗତ ୪ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳ ବୁଲି ଦେଖିଥିଲେ । ଚନ୍ଦକା ନିକଟବର୍ତ୍ତୀ ଭଗତୀପୁର ଓ ଗିରିଙ୍ଗ ପୁଟ୍ଟ ଗ୍ରାମ ପରିଦର୍ଶନରେ ଯାଇଥିଲେ । ଅର୍ଥ ବଳ ଓ ବାହୁବଳ ପ୍ରୟୋଗ ସହିତ ଉଚ୍ଚ ସରକାରୀ ପ୍ରଭାବ ଦ୍ୱାରା ଏଠାରେ ଜମି ଅକ୍ତିଆର କରି ନିଆଯାଇଥିବା ସାଙାରଣ ଲୋକେ ତାଙ୍କୁ ଅଭିଯୋଗ କରିଥିଲେ ।
ସରକାରୀ ଜମି, ଦେବସ୍ଥଳୀ ଓ ବେସରକାରୀ ଜମି ଅକ୍ତିଆର କରି ପ୍ରାୟ ୧୫୦ ଏକର ପରିମିତ ଜାଗା ତାରବାଡ ଦ୍ୱାରା ଘେରା ଯାଇଛି । ତାରବାଡ ବୁଲାଇ ରାସ୍ତା ଅବରୋଧ କରିଥିବାରୁ ଘରୋଇ ଜମିର ମାଲିକମାନେ ନିଜ ଜମିକୁ ଯିବା ପାଇଁ ଅସମର୍ଥ ହେଉଛନ୍ତି । ଏପରିକି ହାଲ କର୍ମଚାରୀମାନଙ୍କର ହାଉସିଂ ସୋସାଇଟି ଜାଗାକୁ ମଧ୍ୟ ତାରବାଡ ଦ୍ୱାରା ଘେରି ବନ୍ଧା ହୋଇଛି । ଧବଳେଶ୍ୱରଦେବଙ୍କ ଦେବସ୍ଥଳୀ ଏବଂ ଅନ୍ୟାନ୍ୟ ଦେବସ୍ଥଳୀ ମଧ୍ୟ ତାରବାଡ ଦ୍ୱାରା ଆବଦ୍ଧ ହୋଇଯାଇଛି । ତାମିଲନାଡୁର ଜଣେ ଅତ୍ୟନ୍ତ ପ୍ରଭାବଶାଳୀ ତଥା ସରକାରୀ ପୃଷ୍ଠପୋଷକତା ପ୍ରାପ୍ତ ମହିଳା ଏସବୁ ଜାଗା ଅକ୍ତିଆର କରିବା ସହ ଯେଉଁ ଜମି ମାଲକମାନେ ରାସ୍ତା ଅବରୋଧ ଯୋଗୁ ନିଜ ଜମିକୁ ଯାଇ ପାରୁନାହାନ୍ତି ସେମାନଙ୍କ ଜମି ମଧ୍ୟ କିଣିବାକୁ ଚାପ ପକାଉଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଜମିସବୁ କ୍ରୟ କରିଥିବା ମହିଳା ତାମିଲନାଡୁର ଅଧିବାସୀ ଅଟନ୍ତି । ସେ ଓଡିଶା ପ୍ରଦେଶରେ ଏତେ ପ୍ରଭାବ ବିସ୍ତାର କରି ଜମି ଦଖଲ କରୁଛନ୍ତି ତାହା ସନ୍ଦେହଜନକ ତଥା ଅନୁସନ୍ଧାନ ସାପେକ୍ଷ ବୋଲି ସାସଂଦ କହିଛନ୍ତି ।