ଓଡ଼ିଶା 365 (ବ୍ୟୁରୋ): ହାରିଲେ ଇତିହାସ ରଚିଲେ । ଫିଡେ ଚେସ୍ ବିଶ୍ବକପ୍ ଫାଇନାଲରେ ବିଶ୍ୱର ୧ନଂ ଖେଳାଳି କାର୍ଲସେନଙ୍କୁ ଟକ୍କର ଦେଇ ୧୮ ବର୍ଷୀୟ ଭାରତୀୟ ଚେସ୍ ଗ୍ରାଣ୍ଡମାଷ୍ଟର ଆର୍ ପ୍ରଜ୍ଞାନନ୍ଦ ବିଶ୍ବକପ୍ରେ ଉପବିଜେତା ହୋଇ ରୌପ୍ୟ
ଜିତି ସଭିଙ୍କ ହୃଦୟ ଜିତିଛନ୍ତି । ସ୍ଥାପନ କରିଛନ୍ତି ବିଶ୍ବରେକର୍ଡ। ଅନ୍ୟପକ୍ଷରେ ପ୍ରଜ୍ଞାନନ୍ଦ ରୌପ୍ୟ ପଦକ ହାସଲ କରିବା ସହ କ୍ୟାଣ୍ଡିଡେଟ୍ସ ଟୁର୍ଣ୍ଣାମେଣ୍ଟରେ ନିଜର ସ୍ଥାନ ପକ୍କା କରିଛନ୍ତି। ସେ ଦ୍ୱିତୀୟ ଭାରତୀୟ ଭାବେ ଏପରି ସଫଳତା ହାସଲ କରିଛନ୍ତି। ପ୍ରଜ୍ଞାନନ୍ଦଙ୍କ ଏଭଳି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି । ଏଭଳି ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଆମେ ଗର୍ବିତ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ସମେତ ଦେଶ ବିଦେଶରୁ ଶୁଭେଚ୍ଛାର ସୁଅ ଛୁଟୁଛି । ଆଜରବୈଜାନର ବକୁରେ ଖେଳାଯାଇଥିବା ଫାଇନାଲ ମୁକାବିଲାରେ ମାଗ୍ନସ୍ ୨.୫-୧.୫ରେ ପ୍ରଜ୍ଞାନନ୍ଦଙ୍କୁ ପରାଜିତ କରି ପ୍ରଥମ ଥର ବିଶ୍ବକପ୍ ଏବଂ ପଞ୍ଚମ ଥର ବିଶ୍ବ ମୁକୁଟ ହାତେଇଛନ୍ତି। ଉଭୟଙ୍କ ମଧ୍ୟରେ ଫାଇନାଲ ଲଢ଼େଇରେ ପ୍ରଥମ ଦୁଇ କ୍ଲାସିକାଲ ଗେମ୍କୁ ଡ୍ର ରଖିବାରେ ପ୍ରଜ୍ଞାନନ୍ଦ ସମର୍ଥ ହୋଇଥିଲେ ପରେ ଟ୍ରାଏ ବ୍ରେକରରେ ଫଳାଫଳ ନିର୍ଣ୍ଣୟ ହୋଇଥିଲା।
ଚେସ୍ ଓ୍ବାର୍ଲ୍ଡ କପ୍ରେ ଚମତ୍କାର ପ୍ରଦର୍ଶନ କରି ଚେସ୍ର ଜାଏଣ୍ଟ କିଲର ଭାବେ ପରିଚିତ ପ୍ରଜ୍ଞାନନ୍ଦ ସଭିଙ୍କ ହୃଦୟ ଜିତିଛନ୍ତି । ବିଶ୍ବ ୨ନମ୍ବର ହିକାରୁ ନାକାମୁରା, ୩ନମ୍ବର ଖେଳାଳି ଫାବିଆନୋ କରୁଆନାଙ୍କୁ ପରାସ୍ତ କରି ଚର୍ଚ୍ଚାରେ ରହିଛନ୍ତି ପ୍ରଜ୍ଞାନନ୍ଦ। ଏପରିକି ସେ ତୃତୀୟ କନିଷ୍ଠ ଖେଳାଳି ଭାବେ କାନାଡାରେ ଆୟୋଜିତ ହେବାକୁ ଥିବା କ୍ୟାଣ୍ଟିଡେଟ୍ସ ଚେସ୍ ପ୍ରତିଯୋଗିତାରେ ପ୍ରବେଶ କରିବାରେ ଆଉ ଏକ ମାଇଲଖୁଣ୍ଟ ପାର୍ କରିଥିଲେ। ପ୍ରଜ୍ଞାନନ୍ଦ ଫାଇନାଲ ମ୍ୟାଚ୍ ହାରି ମଧ୍ୟ ଭାରତୀୟ ଚେସ୍ ଇତିହାସରେ ଛାପ ଛାଡିଛନ୍ତି । ବିଶ୍ୱନାଥ ଆନନ୍ଦଙ୍କ ପରେ ପ୍ରଜ୍ଞାନନ୍ଦ ଦ୍ୱିତୀୟ ଭାରତୀୟ ଭାବେ ବିଶ୍ୱକପ ଫାଇନାଲରେ ପ୍ରବେଶ କରିବାର ରେକର୍ଡ କରିଥିଲେ। କମ ବୟସରେ ପ୍ରଜ୍ଞାନନ୍ଦଙ୍କ ଜବରଦସ୍ତ ପ୍ରର୍ଦଶନ ଅନ୍ୟ ଖେଳାଳିଙ୍କୁ ଚେସ୍ କ୍ଷେତ୍ରରେ ଆଗକୁ ବଢ଼ିବାକୁ ବାଟ ଦେଖାଇବ ।