ଓଡ଼ିଶା 365 (ବ୍ୟୁରୋ): ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବାଟ ଓଗାଳି ଗାଡି ଉପରକୁ ଅଣ୍ଡା, ପଥର ଓ ପାଣି ବୋତଲ ଫୋପାଡ଼ିଛନ୍ତି ବିଜେଡି କର୍ମୀ। ଶହଶହ ପୁଲିସ ଉପସ୍ଥିତିରେ ବିଜେଡି କର୍ମୀଙ୍କ ତରଫ ପ୍ରଦୀପଙ୍କୁ ଏଭଳି ବିରୋଧ କରାଯାଇଛି। ସୁରକ୍ଷା ପାଇଁ ଶହଶହ ପୁଲିସ ଉପସ୍ଥିତ ଥାଇ ବି ଉତେଜନାକୁ ନିୟନ୍ତ୍ରଣ କରିପାରିବାରେ ବିଫଳ ହୋଇଛନ୍ତି । ଅନ୍ୟପଟେ ବିଧାୟକ ପ୍ରଦୀପ ପାଣିଗ୍ରାହୀ କିନ୍ତୁ ରାସ୍ତା କ୍ଲିଅର କଲେ ଯିବାକୁ ଯିବା ଜିଦ କରୁଥିବା ଦେଖିବାକୁ ମିଳିଥିଲା । ବ୍ରହ୍ମପୁର ଲାଂଚିପଲ୍ଲୀ ଓଭର ବ୍ରିଜ ଉପରେ ଯାଉଥିବାବେଳେ ପ୍ରଦୀପ ପାଣିଗ୍ରାହୀଙ୍କୁ ଅଟକାଇଲେ ବିଜେଡି କର୍ମୀ । ପ୍ରଦୀପ ପାଣିଗ୍ରାହୀଙ୍କ ଗାଡ଼ି ଉପରକୁ ଚଢ଼ି ଆଗକୁ ଯିବାକୁ ବିରୋଧ କରିଥିଲେ । ଯାହାକୁ ନେଇ ଘଟଣା ସ୍ଥଳରେ ଉତେଜନା ଦେଖାଦେଇଥିଲା । ଘଟଣା ସ୍ଥଳରେ ପୋଲିସ ପହଞ୍ଚିି ବୁଝାସୁଝା କରିଥିଲେ ମଧ୍ୟ ପରିସ୍ଥିତି ଶାନ୍ତ ପଡ଼ିନଥିଲା ।
ସୂଚନାଯୋଗ୍ୟ, 5T ସଚିବ ଭି.କେ ପାଣ୍ଡିଆନଙ୍କ ଗଞ୍ଜାମ ଗସ୍ତ ବେଳେ ତାଙ୍କ ଗସ୍ତକୁ ବିରୋଧ କରି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବି ଆଜି ଗଞ୍ଜାମ ଯାଇଥିବା ବେଳେ ତୀବ୍ର ବିରୋଧର ସମ୍ମୁଖୀନ ହୋଇଛନ୍ତି। ବ୍ରହ୍ମପୁର ପୂର୍ବରୁ ଲାଞ୍ଜିପଲ୍ଲୀରେ ପ୍ରଦୀପ ପାଣିଗ୍ରାହୀଙ୍କ ବାଟ ଓଗାଳିଛନ୍ତି ଶତାଧିକ ବିଜେଡି କର୍ମୀ। କୌଣସି ପରିସ୍ଥିତିରେ ବି ପ୍ରଦୀପ ପାଣିଗ୍ରାହୀଙ୍କୁ ବ୍ରହ୍ମପୁରରେ ପଶିବାକୁ ଦିଆଯିବନି ବୋଲି ସେମାନେ କହିଛନ୍ତି। ଆଉ ସେଥିପାଇଁ କିଛି ସମୟ ପାଇଁ ରଣକ୍ଷେତ୍ର ପାଲଟି ଥିଲା ସେହି ସ୍ଥାନ। ମୁହାଁମୁହିଁ ହୋଇଥିଲେ ବିଜେଡି କର୍ମୀ ଓ ପ୍ରଦୀପଙ୍କ ସମର୍ଥକ। ଲାଞ୍ଜିପଲ୍ଲୀରେ ବିଜେଡି କର୍ମୀମାନେ ପ୍ରଦୀପ ପାଣିଗ୍ରାହୀଙ୍କୁ ଅଟକାଇ ଥିଲେ। କିଛି ବିଜେଡି କର୍ମୀ ପ୍ରଦୀପଙ୍କ ଗାଡ଼ି ଉପରେ ଚଢ଼ି ଯାଇଥିଲେ। ଏହି ସମୟରେ ପ୍ରଦୀପଙ୍କ ସମର୍ଥକମାନେ ସେମାନଙ୍କୁ ଗାଡ଼ି ଉପରୁ ଟାଣି ନେଇଥିଲେ। ଏହା ପରେ ଦୁଇ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ହେବା ସହିତ ଠେଲାପେଲା ଓ ହାତାହାତି ହୋଇଥିଲେ। କିଛି ଲୋକ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ମଧ୍ୟ ଠେଲାପେଲା କରିଥିବା ଜଣାପଡ଼ିଛି। ତାଙ୍କ ଗାଡ଼ି ଉପରକୁ ଅଣ୍ଡା, ପଥର ଓ ପାଣି ବୋତଲ ମାଡ଼ ମଧ୍ୟ ହୋଇଛି।