ଓଡ଼ିଶା 365 (ବ୍ୟୁରୋ) : ମାମୁ ସାଜିଲା କଂସ । ମାତ୍ର ୧୩ ବର୍ଷର ଭାଣିଜୀକୁ କାଠ ଫାଳିଆରେ ପିଟିପିଟି ନେଇଗଲା ଜୀବନ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ସ୍ଥିତ ନନ୍ଦନବିହାରରେ ଘଟିଛି । କଞ୍ଜରଭାନ୍ସି ଲେନ ଶୌଚାଳୟରୁ ନାବାଳିକାର ମୃତଦେହ ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ପ୍ରାଥମିକ ତଦନ୍ତରୁ ମାମୁକୁ ଗିରଫ କଲା ଇନଫୋସିଟି ଥାନା ପୋଲିସ । ହତ୍ୟା କରିବା ପରେ ପ୍ରମାଣ ନଷ୍ଟ ପାଇଁ ଭାଣିଜୀର ମୃତଦେହକୁ ଏକ ପରିତ୍ୟକ୍ତ ଘରେ ଫିଙ୍ଗି ଦେଇଥିଲା ଅଭିଯୁକ୍ତ । ଗିରଫ ଅଭିଯୁକ୍ତ ମାମୁ ହେଉଛି ଶୁଖଲାଲ ସଏ । ଭାଣିଜୀର ମୃତଦେହ ଫିଙ୍ଗିବାରେ ମାମୁଁକୁ ସହଯୋଗ କରିଥିବା ଅନ୍ୟ ଜଣେ ସହଯୋଗୀ ନରେନ୍ଦ୍ର ସିଂକୁ ମଧ୍ୟ ଗିରଫ କରିଛି ପୋଲିସ । ବହୁ ଦିନ ଧରି ମାମୁ ଶୁଖଲାଲଙ୍କ ଘରେ ରହୁ ଆସୁଥିଲା ଭାଣିଜି ମାମା ସାଏ । କୌଣସି କଥା କଟା କଟିକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏହି ସମୟରେ ଏକ କାଠ ଫାଳିଆରେ ମାମୁ ଆକ୍ରମଣ କରିଥିଲା ଭାଣିଜୀକୁ । ଆକ୍ରମଣ ପରେ ଘଟଣାସ୍ଥଳରେ ମାମାର ମୃତ୍ୟୁ ହୋଇଥିଲା। ପରେ ମୃତଦେହକୁ ଘରେ ଲୁଚାଇ ରଖିଥିଲେ ।
ପ୍ରମାଣ ନଷ୍ଟ କରିବାକୁ ସେହି ଦିନ ରାତିରେ ମୃତଦେହକୁ କଞ୍ଜରଭାନ୍ସି ଲେନର ଏକ ଶୌଚାଳୟରେ ଫିଙ୍ଗି ଦେଇଥିଲେ । ଏହି ଘଟଣାରେ ଦୁଇଦିନ ପରେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଉକ୍ତ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରିବା ପରେ ପୁରା ଘଟଣା ସାମ୍ନାକୁ ଆସିଥିଲା । ମୃତଦେହକୁ 2ଜଣ ନେଉଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା । ପରେ ଉଭୟ ସୁଖଲାଲ ଓ ନରେନ୍ଦ୍ର ବୋଲି ଚିହ୍ନଟ କରାଯାଇଥିଲା ।
ଉଭୟଙ୍କୁ ପଚାରଉଚରା ପରେ ସତ ସାମ୍ନାକୁ ଆସିଥିଲା । ଶୁଖଲାଲ ସଏ ଓ ନରେନ୍ଦ୍ର ସିଂକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।ଅଭିଯୁକ୍ତଙ୍କୁ ଗିରଫ ପରେ ଘଟଣାରେ ସିନ ରିକ୍ରିଏସନ କରିଥିଲା ପୋଲିସ । ଏହି ସମୟରେ ହତ୍ୟା ଘଟଣାରେ ଗୋଟିଏ ଗୋଟିଏ ଦୃଶ୍ୟ ରିକ୍ରିଏସନ କରିଥିଲେ ଅଭିଯୁକ୍ତ । ତଦନ୍ତ ସମୟରେ ଅଭିଯୁକ୍ତର ଘରୁ ଏକ କାଠ ଫାଳିଆ ଜବତ କରିଛି ପୋଲିସ । 15ଦିନ ପରେ ନାବାଳିକା ହତ୍ୟା ଘଟଣାର ପର୍ଦ୍ଦାଫାସ ହୋଇଛି । କଥା ନମାନିବାକୁ ମାମୁ ତାର ଭାଣିଜୀକୁ ହତ୍ୟା କରିଥିବା ତଦନ୍ତରୁ ଜଣାପଡିଛି ।