ଓଡ଼ିଶା 365 (ବ୍ୟୁରୋ) : ଆମେ କହୁ ଚକ୍ଷୁ ଦାନ ମହା ପୁଣ୍ୟ । କାରଣ ଦୃଷ୍ଟିବାଧିତମାନେ ଏହି ଦାନ ଦ୍ୱାରା ବିଶ୍ୱ ଦେଖିବାର ସୁଯୋଗ ପାଆନ୍ତି । କିନ୍ତୁ ସାମାଜିକ ଏବଂ ଧାର୍ମିକ ପରମ୍ପରା ଯୋଗୁଁ କିମ୍ବା ଭୟ ଏବଂ ଦ୍ୱନ୍ଦ୍ୱ ଯୋଗୁଁ ଲୋକମାନେ ଆଖି ଦାନ କରିବାକୁ ଭୟ କରନ୍ତି । ଅନ୍ୟପକ୍ଷରେ, ଯେଉଁମାନେ ଚକ୍ଷୁଦାନ କରିବାକୁ ଚାହାଁନ୍ତି, ଆଖି ପ୍ରତିରୋପଣ ସହ ଜଡିତ ଆବଶ୍ୟକୀୟ ସୂଚନା ଅଭାବରୁ ସେମାନେ ଆଖି ଦାନ କରିବାରେ ସକ୍ଷମ ହୁଅନ୍ତି ନାହିଁ । ଭାରତରେ ଚକ୍ଷୁ ଦାନ ବିଷୟରେ ଜନସଚେତନତା ବୃଦ୍ଧି କରାଇବା ସହିତ ଲୋକଙ୍କୁ ଏହା ସହ ଜଡିତ ଭୁଲ ଧାରଣାର ସତ୍ୟତା ବିଷୟରେ ଅବଗତ କରାଇବା ଏବଂ ମୃତ୍ୟୁ ପରେ ଲୋକଙ୍କୁ ଆଖି ଦାନ ପାଇଁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ୨୫ ଅଗଷ୍ଟରୁ ୮ ସେପ୍ଟେମ୍ବର ପର୍ଯ୍ୟନ୍ତ ଜାତୀୟ ଚକ୍ଷୁ ଦାନ ସପ୍ତାହ ପାଳନ କରାଯାଇଥାଏ ।
୨୦୨୦ ମସିହାରେ ଦୁଇଟି ଆନ୍ତର୍ଜାତିକ ଅନୁଷ୍ଠାନ ଯଥା ଭିଜନ ଲୋସ୍ ଏକ୍ସପର୍ଟ ଗ୍ରୁପ୍ ଏବଂ ଇଣ୍ଟରନ୍ୟାସନାଲ ଏଜେନ୍ସି ଫର ପ୍ରିଭେନସନ୍ ଅଫ୍ ବ୍ଲାଇଣ୍ଡେନ୍ସ୍ ଦ୍ବାରା ଦୃଷ୍ଟିବାଧିତ ଉପରେ ସର୍ଭେ କରାଯାଇ ରିପୋର୍ଟ ପ୍ରକାଶ କରାଯାଇଥିଲା । ତେବେ ବିଶ୍ବର ସମସ୍ତ ଦେଶ ମଧ୍ୟରୁ ଭାରତରେ ଅଧିକ ଦୃଷ୍ଟିବାଧିତ ରହିଥିବା ନେଇ ରିପୋର୍ଟରେ ପ୍ରକାଶିତ ହୋଇଥିଲା । ରିପୋର୍ଟରେ କୁହାଯାଇଛି ଯେ, ୨୦୨୦ ସୁଦ୍ଧା ଭାରତରେ ପ୍ରାୟ ୯୨ ଲକ୍ଷ ଲୋକ ଦୃଷ୍ଟିବାଧିତ ହୋଇଥିବାବେଳେ ଚାଇନାରେ ଦୃଷ୍ଟିବାଧିତଙ୍କ ସଂଖ୍ୟା ୮୯ ଲକ୍ଷ ରହିଥିଲା । ଏହି ରିପୋର୍ଟରେ ଗତ ୩୦ ବର୍ଷ ମଧ୍ୟରେ ଭାରତରେ ସମୀପ ଦୃଷ୍ଟି କିମ୍ବା ପ୍ରେସବୋପିଆ ମାମଲା ଦ୍ୱିଗୁଣିତ ହୋଇଥିଲା । ରିପୋର୍ଟ ଅନୁଯାୟୀ, ୧୯୯୦ ମସିହାରେ ପ୍ରାୟ ୫.୭୭ କୋଟି ମାମଲା ପଞ୍ଜୀକୃତ ହୋଇଥିଲା ଏବଂ ୨୦୧୯ ମସିହାରେ ୧୩.୭୬ କୋଟି ଭାରତୀୟ ଦୃଷ୍ଟିବାଧିତ ରହିଥିବା ରିପୋର୍ଟରେ କୁହାଯାଇଥିଲା ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ WHOର ପରିସଂଖ୍ୟାନ ଅନୁଯାୟୀ, ବର୍ତ୍ତମାନ ଭାରତରେ ପ୍ରାୟ ୧.୫ କୋଟି ଦୃଷ୍ଟିବାଧିତ ଥିବାବେଳେ କେତେକ କାରଣରୁ ୧୩ କୋଟିରୁ ଅଧିକ ଲୋକକୁ ଆଂଶିକ ଦେଖାଯାଉଛି । ତେବେ ସେମାନଙ୍କ ମଧ୍ୟରୁ ୮୦ ପ୍ରତିଶତ ଲୋକ ଠିକ ସମୟରେ ଚିକିତ୍ସା ନକରିବା କାରଣରୁ ଚକ୍ଷୁ ରୋଗ ବା ଦୃଷ୍ଟିବାଧିତର ଶିକାର ହୋଇଥିବା ଜଣାପଡିଛି । ଯାହାକି ଏକ ପ୍ରକାର ଚିନ୍ତାର ବିଷୟ ବୋଲି କୁହାଯାଇଛି । ତେବେ ଏମାନଙ୍କ ମଧ୍ୟରୁ ଏକ ତୃତୀୟାଂଶ ଲୋକ ଆଖି ପ୍ରତିରୋପଣ ଦ୍ବାରା ଦେଖିପାରିବେ ବୋଲି କୁହାଯାଇଛି । ବିଭିନ୍ନ ଆନୁସଙ୍ଗିକ ସଂଗଠନ ଦ୍ୱାରା ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ଚକ୍ଷୁ ପ୍ରତିରୋପଣ ପାଇଁ ଭାରତକୁ ପ୍ରାୟ ୨.୫ ଲକ୍ଷ କର୍ଣ୍ଣିଆ ଆବଶ୍ୟକ । କିନ୍ତୁ ଦାତାଙ୍କର ଅଭାବ ହେତୁ ଏହା ସମ୍ଭବ ହୋଇପାରୁ ନାହିଁ ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଜାତୀୟ ଦୃଷ୍ଟିହୀନତା ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅଧୀନରେ ଆୟୋଜିତ ଜାତୀୟ ଚକ୍ଷୁ ଦାନ କାର୍ଯ୍ୟକ୍ରମ ୧୫ ଦିନ ଧରି ବିଭିନ୍ନ ସରକାରୀ ତଥା ଅଣ-ସରକାରୀ ସ୍ୱାସ୍ଥ୍ୟ ତଥା ସାମାଜିକ ସଂଗଠନ ଦ୍ୱାରା ଆୟୋଜିତ ହୋଇଥାଏ । ୨୫ ଅଗଷ୍ଟରୁ ୮ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିଥିବା ଏହି କାର୍ଯ୍ୟକ୍ରମ ୧୯୮୫ ମସିହାରେ ଭାରତ ସରକାରଙ୍କ ଅଧୀନରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଆରମ୍ଭ ହୋଇଥିଲା । ଲୋକଙ୍କ ମଧ୍ୟରେ ଚକ୍ଷୁଦାନକୁ ନେଇ ସଚେତନା ଏବଂ ଆଗ୍ରହ ବୃଦ୍ଧି କରିବା ହିଁ ମୂଳ ଲକ୍ଷ୍ୟ ରହିଛି ।