ଓଡ଼ିଶା 365 (ବ୍ୟୁରୋ): ସ୍ୱତନ୍ତ୍ର ଅଦାଲତରେ ସିବିଆଇ ଦେଇଛି ବାହାନଗା ଟ୍ରେନ୍ ଟ୍ରାଜେଡିର ପ୍ରାଥମିକ ରିପୋର୍ଟ। ରେଳ ଦୁର୍ଘଟଣାର ତଦନ୍ତ କରୁଥିବା ସିବିଆଇ ଭୁବନେଶ୍ବରର ସ୍ବତନ୍ତ୍ର ଅଦାଲତକୁ ତାର ପ୍ରାଥମିକ ରିପୋର୍ଟ ପ୍ରଦାନ କରିଛି। ଏଥିରେ କିଛି ଗୁରୁତ୍ବପୂର୍ଣ୍ଣ କଥା ଉଲ୍ଲେଖ ରହିଛି ସିବିଆଇ, ପ୍ରଥମତଃ ବାହାନଗା ରେଳ ଦୁର୍ଘଟଣା ପୂର୍ବରୁ ଗେଟ୍ ନିକଟରେ ଯେଉଁ ମରାମତି କାର୍ଯ୍ୟ ଚାଲିଥିଲା ସେଥିପାଇଁ ଉପରିସ୍ଥ ଅଧିକାରୀଙ୍କ ଠାରୁ ବିଧିବଦ୍ଧ ଅନୁମତି ମିଳିନଥିଲା । ସିନିଅର ଡିଭିଜିନାଲ ଆଣ୍ଡ ଟେଲିକ ଇଞ୍ଜିନିୟରଙ୍କ ଅନୁମତି ବିନା ଲେଭଲ କ୍ରସିଂରେ ମରାମତି କରାଯାଇଥିଲା। ଏପରିକି ଯେଉଁ ମରାମତି କାର୍ଯ୍ୟ ହୋଇଥିଲା ତାହାର ସର୍କିଟ ଡାଏଗ୍ରାମ ମଧ୍ୟ ଠିକ୍ ନଥିଲା । ଗେଟ୍ ନମ୍ବର ୯୪ରେ ଯେଉଁ ମରାମତି କାର୍ଯ୍ୟ କରାଯାଇଥିଲା ସେଥିପାଇଁ ଗେଟ ନମ୍ବର ୭୦ର ସର୍କିଟ ଡାଏଗ୍ରାମ ବ୍ୟବହାର କରାଯାଇଥିଲା ।
ସିବିଆଇ ଏନେଇ ତାର ରିପୋର୍ଟରେ ଅଭିଯୋଗ ଆଣିଥିବା ବେଳେ ସିଗନାଲ ଇନଚାର୍ଜ ଇଞ୍ଜିନିଅର ଅରୁଣ କୁମାର ମହାନ୍ତ ଏହାକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ଗେଟ ନମ୍ବର ୯୪ ଠିକ ଭାବେ କାମ କରୁନଥିଲା । ଏନେଇ ସେ ଉପରିସ୍ଥ ଅଧିକାରୀଙ୍କ ଜଣାଇଥିଲେ ମଧ୍ୟ ସେନେଇ ଉଚିତ କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା ।