ଓଡ଼ିଶା 365 (ବ୍ୟୁରୋ) : ସକାଳୁ ସକାଳୁ ଥରିଲା ତେଲେଙ୍ଗାନା । ଆଜି ବଡି ଭୋର୍ ସମୟରେ ଦକ୍ଷିଣ ରାଜ୍ୟ ତେଲେଙ୍ଗାନାରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ୱାରଙ୍ଗଲ ଜିଲ୍ଲାରେ ସକାଳ ପ୍ରାୟ ୪ଟା ୪୩ ମିନିଟ୍ ସମୟରେ ଭୂମିକମ୍ପ ଝଟକା ଲାଗିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୬ ରେକର୍ଡ କରାଯାଇଛି । ଏଥିରେ କୌଣସି କ୍ଷୟକ୍ଷତିର ଖବର ନାହିଁ । ଶୋଇଥିବା ବେଳେ ଭୂକମ୍ପ ଅନୁଭୂତ ହେବାରୁ ଲୋକମାନେ ଆତଙ୍କିତ ହୋଇପଡିଥିଲେ । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।
ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଭୂମିକମ୍ପର ଗଭୀରତା ୩୦ କିଲୋମିଟର ରେକର୍ଡ ହୋଇଛି । ୱାରଙ୍ଗଲ ଠାରୁ ୧୨୭ କିମି ଦୂର ପୂର୍ବରେ ଏହାର କେନ୍ଦ୍ରସ୍ଥଳ ରହିଛି । ପାହାନ୍ତାରେ ଝଟକା ଅନୁଭୂତ ହୋଇଥିଲା । ଏହି ସମୟରେ ଲୋକମାନେ ଶୋଇଥିବାରୁ ଆତଙ୍କିତ ହୋଇପଡିଥିଲେ । କିଛି ଲୋକ ଘର ବାହାରକୁ ଦୌଡି ପଳାଇଥିଲେ । ତେବେ ଭୂକମ୍ପ ଯୋଗୁଁ କିଛି ଧନଜୀବନ ନଷ୍ଟ ହୋଇନି । କିଛି ଦିନ ତଳେ ଦିଲ୍ଲୀ, ଏନସିଆର, ଜମ୍ମୁ-କାଶ୍ମୀର, ଆଫଗାନିସ୍ତାନ ଓ ପାକିସ୍ତାନର ସୀମାବର୍ତ୍ତୀ ଅଞ୍ଚଳରେ ୫.୮ ତୀବ୍ରତାର ଭୂମିକମ୍ପ ହୋଇଥିଲା ।
ଭୂକମ୍ପ ବେଳେ ଏକ ସୁରକ୍ଷିତ ସ୍ଥାନ ଖୋଜିବା ଜରୁରୀ । ବିଲ୍ଡିଂ ଠାରୁ ଦୂର ଖୋଲା ସ୍ଥାନକୁ ଚାଲିଯିବା ଉଚିତ୍ ।
ଘର ଭିତରେ ଥିବା ଲୋକ ଡେସ୍କ, ଟେବୁଲ କିମ୍ବା ଖଟ ତଳେ ଲୁଚିଯିବା ଉଚିତ୍ ।
ଗାଡି ଚଳାଉଥିଲେ ତୁରନ୍ତ ଅଟକି ଯିବା ଉଚିତ୍ ।
ଗୃହପାଳିତ ପ୍ରାଣୀଙ୍କୁ ମୁକ୍ତ କରିବାକୁ ଭୁଲିବେ ନାହିଁ । କମ୍ପନ ବନ୍ଦ ହେବା ପର୍ଯ୍ୟନ୍ତ ଖୋଲା ସ୍ଥାନରେ ରହିବା ଉଚିତ୍
ଭୂକମ୍ପ ସମୟରେ ମହମବତୀ, ଦିଆସିଲ ଇତ୍ୟାଦି ବ୍ୟବହାର କରନ୍ତୁ ନାହିଁ । ସବୁ ନିଆଁ ଲିଭାଇ ଦେବା ଉଚିତ୍ ।
ତେବେ ଭୂମିକମ୍ପ ତୀବ୍ରତା ୩ରୁ କମ୍ ଥିଲେ ପ୍ରାୟ କମ୍ପନ ଜଣାପଡେ ନାହିଁ । ଏହା ୭ରୁ ଅଧିକ ହେଲେ ପ୍ରଳୟଙ୍କାରୀ ସ୍ଥିତି ସୃଷ୍ଟି ହୁଏ । ବ୍ୟାପକ ଧନଜୀବନ କ୍ଷୟକ୍ଷତି ଘଟିଥାଏ । ବିଗତ ଦିନରେ ସିରିଆ ଓ ତୁର୍କୀରେ ସଂଗଠିତ ହୋଇଥିବା ଭୂମିକମ୍ପ ସାରା ବିଶ୍ବକୁ ଦୋହଲାଇ ଦେଇଥିଲା । ଏଥିରେ ମୃତ୍ୟୁସଂଖ୍ୟା ୫୦ ହଜାର ପାର୍ କରିଥିଲା ।