ଓଡ଼ିଶା 365 (ବ୍ୟୁରୋ) : ଘୋଷଣା ହୋଇଛି ଜାତୀୟ ଚଳଚ୍ଚିତ୍ର ପୁରସ୍କାର । ଏଥିରେ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ମନୋନୀତ ହୋଇଛି । ପ୍ରଯୋଜକ ଓ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କର ପ୍ରଥମ ଚଳଚ୍ଚିତ୍ର ହେଉଛି ‘ପ୍ରତୀକ୍ଷା’। ଠିକ୍ ୩୮ ବର୍ଷ ପୂର୍ବରୁ ଅର୍ଥାତ ୧୯୮୫ରେ ଅନୁପମ ପଟ୍ଟନାୟକଙ୍କ ବାପା ସ୍ବର୍ଗତ ଅମୀୟ ପଟ୍ଟନାୟକଙ୍କ ପ୍ରଯୋଜିତ ପ୍ରଥମ ଚଳଚ୍ଚିତ୍ର ‘ହାକିମବାବୁ’କୁ ମଧ୍ୟ ଜାତୀୟ ଚଳଚ୍ଚିତ୍ର ସମ୍ମାନରେ ‘ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର’ ଭାବେ ପୁରସ୍କୃତ କରାଯାଇଥିଲା। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦାୟିତ୍ବ ପ୍ରଣବ ଦାସ ସମ୍ଭାଳିଥିବା ବେଳେ ଅଜିତ ଦାସ, ବିଜୟ ମହାନ୍ତି, ହେମନ୍ତ ଦାସ, ଦୁଃଖୀରାମ ସ୍ବାଇଁ, ସାମୁଏଲ୍ ସାହୁ ବାବି, ଜୟା, ଡଲି ଜେନା, ଜୟୀ ଓ ସୁଜାତା ଆନନ୍ଦ ପ୍ରମୁଖ ଏଥିରେ ଅଭିନୟ କରିଥିଲେ। ।
ସେପଟେ ଅନୁପମ କହିଛନ୍ତି ଯେ, ବାପାଙ୍କ ପରି ମୋର ପ୍ରଥମ ଚଳଚ୍ଚିତ୍ର ଏପରି ସଫଳତା ପାଇବା ନିଶ୍ଚିତ ଖୁସିର ବିଷୟ। ମହାପ୍ରଭୁ ଜଗନ୍ନାଥ ଓ ବାପାଙ୍କ ଆଶୀର୍ବାଦରୁ ଏହା ସମ୍ଭବ ହୋଇପାରିଛି। ଖାଲିଏତିକି ନୁହେଁ ଏହି ଚଳଚ୍ଚିତ୍ର ପ୍ରମାଣ କରିଦେଲା ଯେ ମୌଳିକ କଥାବସ୍ତୁକୁ ନେଇ ଚଳଚ୍ଚିତ୍ର କଲେ ଏମିତି ସଫଳତା ମିଳିବ ।