ଓଡ଼ିଶା 365 (ବ୍ୟୁରୋ) : ପିଲାଟି ବଡ ହୋଇଗଲେ ପିଲାର ବିବାହଘର ନେଇ ପ୍ରଥମେ ଅଧିକ ଚିନ୍ତା ପ୍ରକଟ କରିଥାଏ ମା’ ।ଖାସକରି ଯଦି ସେ ପୁଅଟେ ହୁଏ ତ ବେସି । ଝିଅଟେ ଆସିଲେ କେମିତି ହୋଇଥିବ, ଆମକୁ ଭଲରେ ଦେଖିବ କି ନାହିଁ ଏମିତି ଅନେକ ଦୁବିଧାରେ ପଡିଯାଏ ମାଟିଏ । ଆଉ ସବୁବେଳେ ଖୋଜୁଥାଏ ନିଜ ପୁଅପାଇଁ ଉତ୍ତମ ଝିଅଟିଏ । ଏମିତି ଏକ ଘଟଣା ଆପଣସୁଣିଲେ ଆଶ୍ଚର୍ଯ୍ୟ ହେବେ, ପୁଅର ବିବାହ ପାଇଁ ଭଲ ଝିଅଟିଏ ଖୋଜି ପାରିଲେନି ମାଆ । ଏଥିରେ ରାଗିଯାଇ ମାଆକୁ ନୃଶଂସ ଭାବେ ହତ୍ୟା କରିଛି ପୁଅ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ତେଲେଙ୍ଗାନାର ସିଦ୍ଦିପେଟ ଜିଲ୍ଲାରେ । ବିବାହ ନ ହୋଇ ପାରିବାରୁ ପୁଅ ନିଜର ଜନ୍ମକଲା ମାଆକୁ ଅତି ନିର୍ମମ ଭାବେ ହତ୍ୟା କରିଛି । ହତ୍ୟା ପରେ ଏହାକୁ ଚୋରିର ରୂପ ଦେବାକୁ ମାଆର ତଣ୍ଟି କାଟିବା ସହ ଗୋଡକୁ କାଟି ଖଣ୍ଡ ଖଣ୍ଡ କରି ଦେଇଥିଲା ପୁଅ ।
ଘଟଣାରେ ଅଭିଯୁକ୍ତ ପୁଅ ସମେତ ଜଣେ ସମ୍ପର୍କୀୟ ଗିରଫ ହୋଇଛନ୍ତି ।ମାଆ ପୁଅର ସମ୍ପର୍କ ସବୁଠୁ ମଧୁର ହୋଇଥାଏ । ଅନ୍ତଫାଡି ଜନ୍ମ ଦେଇଥିବା ମାଆ ପୁଅର ଖୁସି ପାଇଁ ସବୁକିଛି କରିପାରେ । ହେଲେ ବିବାହ ପାଇଁ ଭଲ ଝିଅଟେ ନପାଇବାରୁ ଜଣେ ପୁଅ ସେହି ମାଆକୁ ଏଭଳି ନିର୍ମମ ଭାବେ ହତ୍ୟା କରିବା ଗ୍ରହଣ କରିବା ସମ୍ଭବ ନୁହେଁ । ବୁଧବାର ବିଳମ୍ବିତ ରାତିରେ ସିଦ୍ଦିପେଟ ଜିଲ୍ଲା ବାଣ୍ଡା ମୈଲାରମ ଗ୍ରାମରେ ଏହି ହତ୍ୟାକାଣ୍ଡ ଘଟିଛି । ଏନେଇ ମୃତ ୪୫ ବର୍ଷୀୟା ମହିଳାଙ୍କ ଝିଅ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ପରେ ସନ୍ଦେହରେ ଅଭିଯୁକ୍ତ ପୁଅ ଓ ଆଉ ଜଣେ ସମ୍ପର୍କୀୟଙ୍କ ଥାନାରେ ଅଟକ ରଖିଥିଲା । ପଚରାଉଚରା ବେଳେ ଦୁହେଁ ପୋଲିସ ଆଗରେ ନିଜର ଅପରାଧ ସ୍ବୀକାର କରିଛନ୍ତି ।ପୋଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତ ପୁଅ ସମ୍ପର୍କୀୟ ସହ ମିଶି ପ୍ରଥମେ ମାଆକୁ ଇଟାରେ ପିଟିପିଟି ହତ୍ୟା କରିଥିଲା । ପୋଲିସକୁ ଚକମା ଦେବାକୁ ହତ୍ୟାକୁ ଚୋରିର ରୂପ ଦେବା ପାଇଁ ଚେଷ୍ଟା ମଧ୍ୟ କରିଥିଲେ । ସେଥିପାଇଁ ହତ୍ୟା ପରେ ମାଆର ଗଳା କାଟିବା ସହ ଧାରୁଆ ଅସ୍ତ୍ରରେ ଗୋଡକୁ ହାଣି ଖଣ୍ଡ ଖଣ୍ଡ କରିଦେଇଥିଲା ।