ଓଡ଼ିଶା 365 (ବ୍ୟୁରୋ): ଡେଙ୍ଗୁ ସ୍ଥିତି ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଥିବା ସତ୍ତ୍ବେ ବି ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା। ଯାହା ରାଜ୍ୟ ସରକାରଙ୍କ ନିଦ ହଜେଇ ସାରିଲାଣି। ଅଗଷ୍ଟ ୨୩ ତାରିଖ ସୁଦ୍ଧା ରାଜ୍ୟରେ ଡେଙ୍ଗୁ ରୋଗୀ ସଂଖ୍ୟା ୨୭ଶହ ପାର କରିସାରିଛି। ସବୁଠୁ ବଡ଼ କଥା ହେଉଛି ଖୋର୍ଦ୍ଧା ଜିଲ୍ଲା ଏବେ ଡେଙ୍ଗୁର ହଟସ୍ପଟ୍ ପାଲିଟିଛି। ଖୋର୍ଦ୍ଧାରୁ ସର୍ବାଧିକ ୧୩୩୨ଜଣ ଡେଙ୍ଗୁରୋଗୀ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱର ସ୍ଥିତ ନୟାପଲ୍ଳୀ ଅଞ୍ଚଳରୁ ୧୧୧ଜଣ ଡେଙ୍ଗୁ ଚିହ୍ନଟ କରାଯାଇଥିବା ବେଳେ ଆଚାର୍ଯ୍ୟ ବିହାରରୁ ୧୦୫, ଜୟଦେବ ବିହାରରୁ ୬୬, ୟୁନିଟ୍ ୯ରୁ ୫୯, ସହିଦ ନଗରରୁ ୫୬, ୟୁନିଟ୍ ୪ରୁ ୫୦ ଓ ସତ୍ୟନଗରରୁ ୪୯ ଜଣ ଡେଙ୍ଗୁ ରୋଗୀ ଚହ୍ନଟ ହୋଇଛନ୍ତି। ସେହିପରି ପୁରୀରୁ ୨୭୦, ବାଲେଶ୍ୱରରୁ ୨୪୮, କଟକରୁ ୧୭୩ ଓ ଜଗତସିଂହପୁରରୁ ୧୫୬ଜଣ ରୋଗୀ ଚିହ୍ନଟ କରାଯାଇଛି।
ପ୍ରତିଦିନ ଭୁବନେଶ୍ୱର କ୍ୟାପିଟାଲ ହସପିଟାଲରେ ୬୦୦ରୁ ୮୦୦ ରକ୍ତ ନମୂନା ପରୀକ୍ଷା କରାଯାଉଥିବା ବେଳେ ସେଥିରୁ ୭୦ରୁ ୮୦ ପିଜିଟିଭ ଚିହ୍ନଟ ହେଉଛନ୍ତି। ଏଯାବତ୍ ରାଜ୍ୟରେ ୪୦ହଜାର ୬୧୭ଜଣଙ୍କ ରକ୍ତ ନମୂନା ପରୀକ୍ଷା କରାଯାଇଥିବା ସୂଚନା ମିଳିଛି। ଗତବର୍ଷ ଅଗଷ୍ଟ ମାସ ୨୩ ତାରିଖ ସୁଦ୍ଧା ରାଜ୍ୟରେ ୧୮୪୬ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ଗତବର୍ଷ ତୁଳନାରେ ଚଳିତ ବର୍ଷ୫୦ ପ୍ରତିଶତ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଯାହା ଚିନ୍ତାର କାରଣ ପାଲଟିଛି।