ଓଡ଼ିଶା 365 (ବ୍ୟୁରୋ): ମୌସୁମୀ ନିମ୍ନଚାପରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉପକୂଳ, ଆଭ୍ୟନ୍ତରୀଣ, ଉତ୍ତର, ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ୫ଟି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା । ତେବେ ୯ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛ ଏବଂ ୧୦ଟି ଜିଲ୍ଲାରେ କାଳବୈଶାଖୀ ଜନିତ ଝଡ଼ବର୍ଷାର ସମ୍ଭାବନା ରହିଛି । ଏନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ଆଜି ସକାଳୁ ରାଜ୍ୟର କୋରାପୁଟ, ମାଲକାନଗିରି, ଅନୁଗୁଳ, ଢେଙ୍କାନାଳ, ବରଗଡ, ସମ୍ବଲପୁର, ଦେବଗଡ, ଝାରସୁଗୁଡା, କେନ୍ଦୁଝର, ନୟାଗଡ ଏବଂ ରାୟଗଡା ଜିଲ୍ଲାର କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗିରହିଛି।
ଜାରି ସତର୍କ ସୂଚନା ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍ ୨୫ ଅଗଷ୍ଟ, ଗୁରୁବାର ଅପରାହ୍ନ ସୁଦ୍ଧା ରାଜ୍ୟର ୨୪ଟି ଜିଲ୍ଲାରେ ପ୍ରବଳ ବର୍ଷା ସହ କାଳବୈଶାଖୀ ଜନିତ ଝଡ଼ବର୍ଷାର ସମ୍ଭାବନା ରହିଛି ।
ରାଜ୍ୟର ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ସୋନପୁର, ବଲାଙ୍ଗୀର, ବୌଦ୍ଧ, ଢ଼େଙ୍କାନାଳ, ଅନୁଗୁଳ, ଯାଜପୁର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, କନ୍ଧମାଳ ଓ କଳାହାଣ୍ଡି ପ୍ରଭୃତି ୨୪ଟି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସହ କାଳବୈଶାଖୀ ଜନିତ ଝଡ଼ବର୍ଷା ଓ ବଜ୍ରପାତର ସମ୍ଭାବନା ରହିଛି।
ସେହିପରି ଏହି ସମୟ ମଧ୍ୟରେ କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ଦେବଗଡ଼ ପ୍ରଭୃତି ୫ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଅନ୍ୟପକ୍ଷରେ ଏହି ସମୟ ମଧ୍ୟରେ ମୟୂରଭଞ୍ଜ, ବରଗଡ଼, ସୋନପୁର, ବଲାଙ୍ଗୀର, ଅନୁଗୁଳ, ଢ଼େଙ୍କାନାଳ, କଟକ, ଖୋର୍ଦ୍ଧା ଓ ପୁରୀ ପ୍ରଭୃତି ୯ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଏହି ସମସ୍ତ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି ।