ଓଡ଼ିଶା 365 (ବ୍ୟୁରୋ): ଆଉ ଦିନକେଇଟା ପରେ ରାକ୍ଷୀ ପୂର୍ଣ୍ଣିମା । ଭାଇ ହାତରେ ରାକ୍ଷୀ ବାନ୍ଧିବ ଭଉଣୀ । ଏବେଠାରୁ ବଜାରରେ ବିକ୍ରି ହେଲାଣି ଭଳିକା ଭଳି ରାକ୍ଷୀ । ଭଲ ବ୍ୟବସାୟ ନେଇ ଆଶା ରଖିଛନ୍ତି ବ୍ୟବସାୟୀ । ତେବେ ୟାରି ଭିତରେ ସାମ୍ନାକୁ ଆସିଛି ଏମିତି ଏକ ଚିତ୍ର ଯାହା ବାସ୍ତବରେ ପ୍ରେରଣା ଦାୟୀ । ତେବେ କିଛି ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ହାତ ତିଆରି ରାକ୍ଷୀ ଏବେ ଚର୍ଚ୍ଚାକୁ ଆସିଛି । ଭିନ୍ନକ୍ଷମ ହୋଇ ମଧ୍ୟ ସେ ସବୁକିଛି କରିବାକୁ ସକ୍ଷମ ଯାହା ପ୍ରମାଣ ହୋଇଛି । ହାତରେ ସୁନ୍ଦର ସୁନ୍ଦର ରାକ୍ଷୀ ତିଆରି କରି ସ୍ବାବଲମ୍ବୀ ହୋଇଛନ୍ତି ୧୫ ଦିବ୍ୟାଙ୍ଗ ପିଲା । ଏ ନେଇ ରାଉରକେଲା ଶ୍ରଦ୍ଧା ସଂଗଠନର ସହୟତାରେ ରାକ୍ଷୀ ତିଆରି କରିବା ଶିଖିବା ସହ ସେଗୁଡିକୁ ବଜାର ବିକ୍ରି କରିଛନ୍ତି । ଦିବ୍ୟାଙ୍ଗ ସତ୍ତ୍ବେ ସୁନ୍ଦର ସୁନ୍ଦର ରାକ୍ଷୀ ତିଆରି କରି ଅନେକଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ରାଉକେଲାର ଶ୍ରଦ୍ଧା ଅନୁଷ୍ଠାନର ସମସ୍ତ ଭିନ୍ନକ୍ଷମ ପିଲାମାନେ ସୁନ୍ଦର ସୁନ୍ଦର ରାକ୍ଷୀ ତିଆରି କରିଛନ୍ତି । ଅନୁଷ୍ଠାନରେ ପ୍ରାୟ ୪୫ ପିଲା ରୁହନ୍ତି । ସେମାନଙ୍କ ମଧ୍ୟରୁ ୧୫ ଜଣ ଛାତ୍ରଛାତ୍ରୀ ବିଭିନ୍ନ ପର୍ବ ଯେପରି ରାକ୍ଷୀ ଦିପାବଳୀରେ ଜିନିଷ ତିଆରି କରିଥାଆନ୍ତି । ଆଗକୁ ରାକ୍ଷୀ ଆସୁଥିବାରୁ ସେମାନେ ରାକ୍ଷୀ ତିଆରିରେ ଲାଗି ପଡ଼ିଛନ୍ତି ।
ଭଗବାନ ସିନା ଭିନ୍ନକ୍ଷମ କରିଛନ୍ତି କିନ୍ତୁ ଏମାନେ ହେଉଛନ୍ତି ସକ୍ଷମ । ତାଙ୍କ ପ୍ରତିଭା ସାମ୍ନାରେ ହାର ମାନିଛି ତାଙ୍କ ଶାରିରୀକ ଅକ୍ଷମତା । ତାଙ୍କ ପ୍ରତିଭା ଏବଂ କାରିଗରୀ ଏତେ ସୁନ୍ଦର ଯେ ଲୋକଙ୍କ ମଧ୍ୟରେ ଏହାକୁ କିଣିବାକୁ ଇଚ୍ଛା ବଢି ଯାଉଛି । ଛାତ୍ରଛାତ୍ରୀମାନେ ବିଭିନ୍ନ ସାମଗ୍ରୀ ବ୍ୟବହାର କରି ନିଜର ପ୍ରତିଭା ଦେଖାଇ ପ୍ରସ୍ତୁତ କରୁଛନ୍ତି ରାକ୍ଷୀ । ଷ୍ଟୋନ୍, ଫୋମ, ଗ୍ରୀଟିଂ କାର୍ଡ ଏବଂ ସାଧାରଣ ରାଖୀ ସହ ଗୋଲାପ ଏବଂ ଜଗନ୍ନାଥଙ୍କ ରାକ୍ଷୀ ତିଆରି କରିଛନ୍ତି ଏମାନେ । ରଙ୍ଗ ବେରଙ୍ଗର ଷ୍ଟୋନ ଏଵଂ କାରିଗରୀ ଯାହା ଏହି ହସ୍ତନିର୍ମିତ ରାକ୍ଷୀଗୁଡିକ ଆହୁରି ସୁନ୍ଦର ହୋଇଛି ।
ନିଜର ସୃଜନଶୀଳତା ଓ କଠିନ ପରିଶ୍ରମ ବଳରେ ଏହି ଛାତ୍ରଛାତ୍ରୀମାନେ କେବଳ ରାକ୍ଷୀ ତିଆରି କରୁନାହାନ୍ତି ବରଂ ସମାଜରେ ନିଜର ସ୍ଥାୟୀତ୍ୱ ଗଠନ ପାଇଁ ବାଟ ଫିଟାଉଛନ୍ତି । ଛାତ୍ରଛାତ୍ରୀମାନେ ସେମାନଙ୍କ ସାମର୍ଥ୍ୟ ଓ ପ୍ରତିଭାକୁ ଏକାଠି କରି ବ୍ୟକ୍ତିଗତ ଭାବେ ଯାହା ହାସଲ କରିପାରୁଛନ୍ତି ତା’ଠାରୁ ଅଧିକ ସୁନ୍ଦର କିଛି ସୃଷ୍ଟି କରିବା ପାଇଁ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି । ସେମାନଙ୍କର ସହଭାଗୀ ଅଭିଜ୍ଞତା ଏବଂ ସାଧାରଣ ଲକ୍ଷ୍ୟ ସେମାନଙ୍କ ଅକ୍ଷମତାକୁ ଅତିକ୍ରମ କରି ବନ୍ଧୁତ୍ୱର ଭାବନାକୁ ପ୍ରୋତ୍ସାହିତ କରିଛି ।