ଓଡ଼ିଶା 365 (ବ୍ୟୁରୋ): ମହା ଠକ କାହ୍ନୁ ପ୍ରଧାନ କଳା କାରନାମାର ପେଡ଼ି ଖୋଲିଲା ପୋଲିସ । ବାରମ୍ବାର ପରିଚୟ ବଦଳାଇ କାହାକୁ କେମିତି ଠକୁଥିଲା ସବୁ ରହସ୍ୟ ଉପରୁ ପରଦା ହଟାଇଛି ଏସଟିଏଫ । ଗିରଫ ହେବାର ୪ ଦିନ ପରେ କାହ୍ନୁ ପ୍ରଧାନର ଠକେଇ ପେଡ଼ି ଖୋଲିଛି ପୋଲିସ। ପୂର୍ବରୁ କାହ୍ନୁ ହତ୍ୟା, ଠକେଇ ଓ ଅପରାଧିକ ଷଡ଼ଯନ୍ତ୍ର ଭଳି ବଡ଼ ବଡ଼ ଘଟଣାରେ ସମ୍ପୃକ୍ତି ଥିଲା ।
ଗୁରୁବାର ଏ ସଂକ୍ରାନ୍ତରେ ସୂଚନା ଦେଇ ପୋଲିସ କହିଛି, ଏହା ପୂର୍ବରୁ କାହ୍ନ ୬ ଥର ଗିରଫ ହୋଇଥିଲା । ପୋଲିସ ତାଠାରୁ ଏକାଧିକ ନକଲି ପରିଚୟ ପତ୍ର ଜବତ କରିଛି । କାହ୍ନୁ ନିଜକୁ ଆରଟିଆଇ କର୍ମଚାରୀ କହି ଠକୁଥିଲାବେଳେ ଗତ ୧୮ ତାରିଖ ପୋଲିସ ହାତରେ ଧରାପଡିଥିଲା । କିଶାେର ମିଶ୍ର ନାମକ ଜଣେ ବ୍ୟକ୍ତିଙ୍କୁ ଏମିତି ମିଛ ପରିଚୟ ଦେଇ ଚୁନା ଲଗାଇଥିଲା କାହ୍ନୁ। ଏ ନେଇ ସେ ଏପ୍ରିଲ ୨୫ ତାରିଖରେ କୋରାପୁଟ ଟାଉନ ଥାନାରେ ଅଭିଯୋଗ କରିଥିଲେ । ହେଲେ ଏହା ପୂର୍ବରୁ ସେ କେତେବେଳେ ଏନଏଚଏଆଇର ସିଜେଡ଼ଏମ ତ ଆଉ କେତେବେଳେ ସିସିଏମ କହି ଲୋକଙ୍କ ଠାରୁ ଲୁଟ୍ କରିଛି । ସେହିପରି ଭୁନେଶ୍ୱର ମୁନସିପାଲଟି କର୍ପୋରେସନର ସିସିଏମ, ରାଜ୍ୟ ସରକାରଙ୍କ ଆସିଷ୍ଟାଂଟ ଡାଇରେକ୍ଟର, ଗୃହ ବିଭାଗର ଏସଏସଟି ୱେଲଫେୟାର ଚେୟାରମ୍ୟାନ, ନାଶନାଲ ହାଇୱେ ଅଥରିଟି ଅଫ ଇଣ୍ଡିଆର ପରିଚୟ ଦେଇ ଏକାଧିକ ଲୋକଙ୍କ ଠାରୁ ଲୁଟ୍ କରିଛି କାହ୍ନୁ । କାହ୍ନୁ ଠାରୁ ଏହି ସବୁ ପରିଚୟରେ ୬ଟି ନକଲି ଆଇକାର୍ଡ ଜବତ କରିଛି ଏସଟିଏଫ ।