ଓଡ଼ିଶା 365 (ବ୍ୟୁରୋ): ଭୀମଭୋଇ ମେଡିକାଲ କଲେଜରେ ଚିକିତ୍ସିତ ହେଉଥିବା ମହିଳା ଏସଆଇଙ୍କ ମିଳୁନି ପତ୍ତା । ଆଜି ଦିନ ୯ଟା ପରଠୁ ସେ ବେଡରେ ନଥିବା ଦେଖିବାକୁ ମିଳିଛି । ହଠାତ ଡାକ୍ତରଖାନାରୁ କାହାକୁ କିଛି ନ କହି ସେ ଚାଲି ଯାଇଥିବା କହିଛନ୍ତି ମେଡିକାଲ କଲେଜର ଅଧୀକ୍ଷକ ସଚଳା ଭୋଇ । ବଲାଙ୍ଗିର ଜିଲ୍ଲା ସଇଁତଳା ଥାନାରେ କାର୍ଯ୍ୟରତ ମହିଳା ଏସଆଇ କାଜଲ ବାଗ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସେ ନନ୍ଦୁପଡ଼ାରରେ ଭଡା ଘରେ ରହୁଥିଲେ। ଗତକାଲି ରାତିରେ ବିଷ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। କୌଣସି ସୂତ୍ରରୁ ଖବର ପାଇ ନିକଟରେ ରହୁଥିବା ASI ଥବୀର ମହାରଣା ଆସି ଉଦ୍ଧାର କରିଥିଲେ । ପରେ ତାଙ୍କୁ ସଇଁତଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଂକୁ ଭୀମଭୋଇ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଆଜି ତାଙ୍କର ପତ୍ତା ମିଳୁନାହିଁ ।.
ସୂଚନାଯୋଗ୍ୟ, ଏସ.ଆଇ କାଜଲ ବାଗ ବିଷ ଖାଇବାର କାରଣ ଜଣାପଡ଼ିନାହିଁ । ଜଣେ ପୋଲିସ ବାବୁଙ୍କ ପ୍ରେମରେ ପଡି, ପ୍ରତାରଣାରୁ ବିଷ ପିଇଥିବା ଚର୍ଚ୍ଚା ଜୋର ଧରିଛି। ତେବେ ଏହି ଘଟଣାକୁ ଗୋପନ ରଖିବାକୁ ଜିଲ୍ଲା ପୁଲିସ୍ ବିଭାଗ ପକ୍ଷରୁ ଯଥା ସମ୍ଭବ ଚେଷ୍ଟା କରାଯାଉଛି। ଏପରିକି ଗଣମାଧ୍ୟମ ପ୍ରତିନିଧୀଙ୍କୁ କାଜଲ ବାଗଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ କୌଣସି ସୂଚନା ନ ଦେବାକୁ କଡ଼ାକଡ଼ି ଭାବେ କୁହାଯାଇଛି। ଏନେଇ କାଜଲ ବାଗଙ୍କ ପଡ଼ୋଶୀ କହିଛନ୍ତି, ଗତକାଲି ବିଳମ୍ବିତ ରାତିରେ କିଛି ପୁଲିସ୍ କର୍ମଚାରୀ ପହଞ୍ଚି କବାଟ ବାଡ଼େଇଲେ। ଏହାପରେ ସିଡି ପକାଇ ପ୍ରଥମ ମହଲାରେ ରହୁଥିବା କାଜଲ ବାଗଙ୍କ ନିକଟରୁ ଯାଇଥିଲେ। ସେଠାରୁ ସେମାନେ ତାଙ୍କୁ ଧରି ମେଡିକାଲ ନେଇ ଯାଇଥିଲେ।