ଓଡ଼ିଶା365(ବ୍ୟୁରୋ): ଆନ୍ଧ୍ରପ୍ରଦେଶର ବିଜୟୱାଡ଼ାରେ ଏକ ବାଇକ୍ ସୋ’ରୁମରେ ଭୟାବହ ଅଗ୍ନିକାଣ୍ଡ। ଏହି ଅଗ୍ନିକାଣ୍ଡରେ ୫୦୦ରୁ ଅଧିକ ଦୁଇ ଚକିଆ ଯାନ ପୋଡ଼ି ଯାଇଥିବା ବେଳେ କେହି ଆହତ ହୋଇନଥିବା ଜଣାପଡ଼ିଛି । ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଆନ୍ଧ୍ର ପ୍ରଦେଶ ପୋଲିସର ସୂଚନା ଅନୁଯାୟୀ, ଜଳିଯାଇଥିବା ସୋ’ରୁମଟି ଚେନ୍ନାଇ-କୋଲକାତା ଜାତୀୟ ରାଜପଥ ପାର୍ଶ୍ବରେ ଥିବା କେପି ନଗରରେ ଥିଲା । ସୋ ରୁମରେ ଟିଭିଏସ କମ୍ପାନିର ପେଟ୍ରୋଲ ଓ ଇଲେକ୍ଟ୍ରିକ୍ ବାଇକ୍ ଏବଂ ସ୍କୁଟର ଥିଲା। ସୋ’ରୁମ୍ ର ପ୍ରଥମ ମହଲାରୁ ନିଆଁ ଆରମ୍ଭ ହୋଇ ନିକଟସ୍ଥ ଗୋଦାମକୁ ବ୍ୟାପି ଯାଇଥିଲା। ସୁରକ୍ଷାକର୍ମୀ ଅଗ୍ନିଶମ ବାହିନୀକୁ ଖବର ଦେବା ପରେ ୫ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲେ। ମାତ୍ର ଅଗ୍ନିଶମ କର୍ମଚାରୀ ପହଞ୍ଚିବାବେଳକୁ ବାଇକ୍ ଜଳି ସାରିଥିଲା । ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। କିଛି ଇଲେକ୍ଟ୍ରିକ୍ ଦୁଇ ଚକିଆ ଯାନ ଚାର୍ଜ ହେଉଥିବା ବେଳେ ସର୍ଟସର୍କିଟରୁ ଏପରି ହୋଇଥିବା କୁହାଯାଉଛି।