ଓଡ଼ିଶା 365 (ବ୍ୟୁରୋ) : ପରଲୋକରେ ମରାଠୀ ଓ ହିନ୍ଦୀ ଅଭିନେତ୍ରୀ ସୀମା ଦେଓ । ୮୩ ବର୍ଷ ବୟସରେ ଆଖି ବୁଜିଲେ ସୀମା । ଏନେଇ ସୀମାଙ୍କ ପୁଅ ଅର୍ଥାତ୍ ‘ଇଣ୍ଡିଆନ୍ ଏକ୍ସପ୍ରେସ୍ ଡଟ୍ କମ୍’କୁ ଚଳଚ୍ଚିତ୍ର ନିର୍ମାତା ଅଭିନୟ ଦେଓ କହିଛନ୍ତି ଯେ, ଆଜି ପ୍ରତ୍ୟୁଷରେ ମାଆଙ୍କ ଦେହାନ୍ତ ଘଟଛି । ସୂଚନା ଅନୁଯାୟୀ, ୨୦୨୦ରେ ଅଭିନୟ ତାଙ୍କ ମାଆଙ୍କ ସ୍ବାସ୍ଥ୍ୟାବସ୍ଥା ସଂକ୍ରାନ୍ତରେ ଟୁଇଟ୍ କରି ଲେଖିଥିଲେ ଯେ, ମରାଠୀ ଚଳଚ୍ଚିତ୍ର ଶିଳ୍ପର ବିଶିଷ୍ଟ ଅଭିନେତ୍ରୀ ମୋ ମାଆ ଶ୍ରୀମତୀ ସୀମା ଦେଓ ଆଲ୍ଜାଇମର୍ସ ରୋଗଦ୍ବାରା ଆକ୍ରାନ୍ତ ହୋଇଛନ୍ତି। ସମଗ୍ର ଦେଓ ପରିବାର ତାଙ୍କ ନିରାମୟ କାମନା କରୁଛି । ଏବଂ ମୁଁ ଆଶା କରୁଛି ତାଙ୍କୁ ଶ୍ରଦ୍ଧା କରୁଥିବା ସମଗ୍ର ମହାରାଷ୍ଟ୍ରବାସୀ ମଧ୍ୟ ତାଙ୍କ ଆରୋଗ୍ୟ କାମନା କରି ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବେ।
ସୀମା ଦେଓ ପ୍ରଥମେ୧୯୬୦ରେ ‘ମିଆଁ ବିବି ରାଜି’ ଚଳଚ୍ଚିତ୍ରରେ ଅଭିନୟ କରି ନିଜର କ୍ୟାରିୟର୍ ଆରମ୍ଭ କରିଥିଲେ। ଏହାପରେ ‘ଆନନ୍ଦ’, ‘କୋଶିଶ୍’ ଓ ‘କୋରା କାଗଜ’ ଭଳି ପ୍ରସିଦ୍ଧ ହିନ୍ଦୀ ଚଳଚ୍ଚିତ୍ରରେ ପ୍ରଭାବଶାଳୀ ଅଭିନୟ କରିଥିବାବେଳେ ମରାଠୀ ଚଳଚ୍ଚିତ୍ରରେ ମଧ୍ୟ ତାଙ୍କର ଯଥେଷ୍ଟ ଭୂମିକା ରହିଛି । ‘ଜାଗାଚ୍ୟା ପଥିୱାର୍’ ଓ ‘ବର୍ଦକ୍ଷିଣା’ ଆଦି ଅନେକ ଫିଲ୍ମରେ ନିଜ ଅଭିନୟର ଛାପା ଛାଡ଼ି ଚାଲିଯାଇଛନ୍ତି ସୀମା ଦେଓ । ତାଙ୍କ ଜୀବନର ଶେଷ ଫିଲ୍ମ ହେଉଛି ୨୦୨୧ରେ ମରାଠୀ ଚଳଚ୍ଚିତ୍ର ‘ଜୀବନ ସନ୍ଧ୍ୟା’ । ସେ ଜୀବନକାଳନ ମଧ୍ୟରେ ୮୦ରୁ ଊର୍ଦ୍ଧ୍ବ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି।