ଓଡ଼ିଶା 365 (ବ୍ୟୁରୋ) : ପଇଡ଼ ଭାରୀ ମଧୁର । ଛୋଟ ଠୁ ବଡ଼ ସମସ୍ତେ ପଇଡ଼ ପାଣି ପିଇବାକୁ ଭଲ ପାଇଥାନ୍ତି । ଏହା ଆମ ଶରୀର ପାଇଁ ବେଶ୍ ଲାଭଦାୟକ ହୋଇଥାଏ । ବର୍ଷ ତମାମ ପଇଡ଼ ପାଣିର ଚାହିଦା ରହିଥାଏ । ହେଲେ ଖରାଦିନେ ଏହାର ଚାହିଦା ଅଧିକ ରହିଥାଏ । ପଇଡ଼ ପିଇବାବେଳେ ମନକୁ ଯେତିକି ଆରାମ ଲାଗିଥାଏ ଶରୀର ପାଇଁ ମଧ୍ୟ ସେତିକି ଉପକାରୀ ହୋଇଥାଏ । ପଇଡ଼ ପାଣିରେ ଖଣିଜ ଲବଣ ବିପୁଳ ମାତ୍ରାରେ ରହିଥାଏ । ପଇଡ଼ ଆମ ଶରୀରକୁ ଶକ୍ତି ଯୋଗାଇବା ସହ ଶରୀରରେ ରୋଗ ପ୍ରତିରୋଧ ଶକ୍ତିକୁ ବଢ଼ାଇଥାଏ । ଯାହାଫଳରେ ଶରୀରକୁ କୌଣସି ରୋଗ ଛୁଇଁପାରିନଥାଏ ।
ବର୍ତ୍ତମାନ ସମୟରେ ମୋଟାପଣ ସମସ୍ତଙ୍କ ଚିନ୍ତାର କାରଣ ପାଲଟିଛି । ଏଥିରୁ ମୁକ୍ତି ପାଇବାକୁ ଚାହୁଁଥିଲେ ପ୍ରତିଦିନ ପିଅନ୍ତୁ ପଇଡ଼ ପାଣି । ଯାହା ଆପଣଙ୍କ ମୋଟାପଣ ଦୂର କରିବାରେ ବେଶ୍ ସହାୟକ ହେବ । ଏହାସହ ପଇଡ଼ ପାଣି ପିଇବା ଦ୍ୱାରା ଆମକୁ ବାରମ୍ବାର ଭୋକ ହୋଇ ନଥାଏ । ବିଶେଷ କରି ସକାଳେ ପଇଡ଼ ପାଣି ପିଇଲେ ଶରୀର ପାଇଁ ଅଧିକ ଲାଭଦାୟକ ହୋଇଥାଏ । ଗଳଗଣ୍ଡ , ବୃକକ୍ , ୟୁରିନ ଇନଫେକ୍ସନ ଭଳି ମାରାତ୍ମକ ରୋଗ ଠାରୁ ଆପଣଙ୍କୁ ଦୂରେଇ ରଖିଥାଏ । ଏହାସହ ଆପଣଙ୍କ ତ୍ୱଚାକୁ ମସୃଣ ଓ ଉଜ୍ଜଳ ରଖିଥାଏ ପଇଡ଼ ପାଣି । ତେଣୁ ପ୍ରତିଦିନ ପଇଡ଼ ପାଣି ପିଅନ୍ତୁ ଏବଂ ସୁସ୍ଥ ରୁହନ୍ତୁ ।