ଓଡ଼ିଶା365(ବ୍ୟୁରୋ): ବିଶ୍ବ ଇତିହାସରେ ଯୋଡ଼ି ହୋଇଗଲା ଭାରତର ସଫଳତା । ଚନ୍ଦ୍ରର ଦକ୍ଷିଣ ମେରୁରେ ସୁରକ୍ଷିତ ଅବତରଣ କରିବାରେ ସଫଳ ହୋଇଛି ଚନ୍ଦ୍ରଯାନ-୩ । ଭାରତୀୟ ମହାକାଶ ଗବେଷଣା ସଂସ୍ଥା-ଇସ୍ରୋର ଅକ୍ଳାନ୍ତ ପରିଶ୍ରମ ଭାରତକୁ ପୁଣି ଥରେ ଗୌରବାନ୍ବିତ କରିଛି । ତେବେ ଗତ ୯ ବର୍ଷରେ ଭାରତ ୩୮୯ଟି ବିଦେଶୀ ସାଟେଲାଇଟ୍ ଉତ୍କ୍ଷେପଣ କରି ୩ ହଜାର ୩୦୦ କୋଟି ଟଙ୍କା ଆୟ କରିଛି । ବୁଧବାର ଦିନ କେନ୍ଦ୍ର ସରକାର ମହାକାଶ କ୍ଷେତ୍ରରେ ଦେଶର କୃତ୍ବିତ୍ବ ରିପୋର୍ଟ ପ୍ରକାଶ କରି ଏହା କହିଛନ୍ତି। କେତେଗୁଡ଼ିଏ ‘ଏକ୍ସ୍’ (ଟୁଇଟ୍) କରି ସରକାର ‘ମହାକାଶରେ ଭାରତର ପାରଦର୍ଶିତାର ଦଶକ’ ପ୍ରଦର୍ଶନ କରି କହିଛି, ‘ଏନ୍ଡିଏ’ ସରକାରଙ୍କର ୯ ବର୍ଷର ଶାସନ କାଳରେ ‘ଇସ୍ରୋ’ ଉତ୍କ୍ଷେପଣ କରିଥିବା ୪୨୪ଟି ସାଟେଲାଇଟ୍ରୁ ୩୮୯ଟି ହେଉଛି ବିଦେଶୀ ରାଷ୍ଟ୍ରମାନଙ୍କର। ୨୦୧୪ ପୂର୍ବରୁ ମାତ୍ର ୩୫ଟି ବିଦେଶୀ ସାଟେଲାଇଟ୍ ଉତ୍କ୍ଷେପଣ କରାଯାଇଥିଲା।
ମହାକାଶ ଅଭିଯାନରୁ ଲାଭ ଭାବେ ଗତ ୯ ବର୍ଷରେ ୩୮୯ଟି ବିଦେଶୀ ସାଟେଲାଇଟ୍ ଉତ୍କ୍ଷେପଣ କରି ଦେଶ ୩ ହଜାର ୩୦୦ କୋଟି ଟଙ୍କା ଆୟ କରିଛି। ସେହିପରି ୨୦୧୭, ଫେବ୍ରୁଆରି ୧୫ ତାରିଖରେ ‘ପିଏସ୍ଏଲ୍ଭି-ସି୩’ରେ ୧୦୪ଟି ସାଟେଲାଇଟ୍ ଉତ୍କ୍ଷେପଣ କରି ଭାରତ ରେକର୍ଡ ସୃଷ୍ଟି କରିଥିଲା। ସେଥିରେ ଯାଇଥିବା ୧୦୪ଟି ସାଟେଲାଇଟ୍ରୁ ୧୦୧ଟି ଥିଲା ବିଦେଶୀ ଗ୍ରାହକମାନଙ୍କର। ଏହାଛଡ଼ା, ୨୦୧୩-୧୪ରେ ଭାରତର ମହାକାଶ କ୍ଷେତ୍ର ପାଇଁ ଥିବା ୫,୬୧୫ କୋଟି ଟଙ୍କାର ବଜେଟ୍କୁ ୧୦ ବର୍ଷ ମଧ୍ୟରେ ୧୨,୫୪୩ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି।